୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ କର୍ଣ୍ଣାଟକର ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି କଂଗ୍ରେସ । ଶାସକ ବିଜେପିକୁ କ୍ଷମତାଚ୍ୟୁତ କରି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ଗ୍ରାଣ୍ଡ୍ ଓଲଡ ପାର୍ଟି । ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ସହ ରାଜ୍ୟରେ ୩୮ ବର୍ଷ ଧରି ଚାଲିଆସିଥିବା ରାଜନୈତିକ ଧାରା ବଜାୟ ରହିଛି । ଅର୍ଥାତ୍ ୧୯୮୫ ମସିହା ପରଠାରୁ କର୍ଣ୍ଣାଟକର ଜନତା କ୍ଷମତାସୀନ ଦଳକୁ କ୍ରମାଗତ ଦ୍ୱିତୀୟ ସୁଯୋଗ ଦେଇନାହାନ୍ତି ।
ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି କଂଗ୍ରେସ ମ୍ୟାଜିକ ନମ୍ବରଠାରୁ ଅଧିକ ଆସନ ଜିତି ସରକାର ଗଠନ କରିବାକୁ ଯାଉଛି । ବିଜେପିର ଆସନ ସଂଖ୍ୟା ୭୦ରୁ କମ୍ ରହିଛି । ବିଜେପିର ବୃହତ ପରାଜୟ ହୋଇଛି ବୋଲି ବିନା ଦ୍ୱିଧାରେ କୁହାଯାଇପାରିବ । ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଦକ୍ଷିଣର ପ୍ରବେଶ ଦ୍ୱାର କୁହାଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିବ ନିଶ୍ଚୟ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳ ପାଇଁ ପ୍ରଚାରର ମଙ୍ଗ ଧରି ରାଜ୍ୟରେ ଜୋରଦାର ପ୍ରଚାର କରିଥିଲେ । କିନ୍ତୁ ବାସବରାଜ ବୋମ୍ମାଇ ସରକାର ବିରୋଧରେ ଥିବା ପୁଞ୍ଜିଭୂତ ଜନ ଅସନ୍ତୋଷ ଓ ନିରାଶା ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି । ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ବି.ଏସ ୟେଦିୟୁରପ୍ପାଙ୍କୁ ହଟାଇ ବାସବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବିଜେପି ପାଇଁ ଏମିତି ତ ଅନେତ ନିଷ୍ପତ୍ତି ମହଙ୍ଗା ପଡିଛି , କିନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ଗୈରିକ ପାର୍ଟି ନିର୍ବାଚନ ହାରିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ପାର୍ଟି ବୋଲି ବିଜେପି ସାରାଦେଶରେ ଡିଣ୍ଡିମ ପିଟୁଥିଲେ ମଧ୍ୟ କର୍ଣ୍ଣାଟକରେ ଓଲଟା ଦେଖିବାକୁ ମିଳିଥିଲା । ଗତ ଏକ ବର୍ଷ ଧରି ରାଜ୍ୟ କଂଗ୍ରେସ ବାସବରାଜ ବୋମ୍ମାଇଙ୍କ ସରକାରକୁ ଏକ ଦୁର୍ନୀତିଗ୍ରସ୍ତ ସରକାର ବୋଲି ପ୍ରଚାର କରିଆସୁଥିଲା । ବୋମ୍ମାଇ ସରକାରଙ୍କୁ ୪୦ ପର୍ସେଂଟ୍ କମିଶନ ବୋଲି ଆଖ୍ୟା ଦେଇଥିଲା କଂଗ୍ରେସ । ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସନ୍ତୋଷ ପାଟିଲ ନାମକ ଜଣେ ଠିକାଦାରଙ୍କ ଆତ୍ମହତ୍ୟା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ସଂପୃକ୍ତ ଠିକାଦାର ଜଣକ ସୁଇସାଇଡ ନୋଟରେ ବିଜେପି ନେତା ଈଶ୍ୱକପ୍ପାଙ୍କ ବିରୋଧରେ ସଂଗୀନ ଦୁର୍ନୀତି ଅଭିଯୋଗ ଆଣିଥିଲେ । ସିଆଇଡି ଈଶ୍ୱରପ୍ପାଙ୍କୁ କ୍ଲିନଚିଟ୍ ଦେଇଥିଲେ ମଧ୍ୟ ରାଜ୍ୟ ଠିକାଦାର ସଂଘ ଅଧ୍ୟକ୍ଷ ଏହି ପ୍ରସଙ୍ଗ ଉଠାଇବାରୁ ଏହାର ଫାଇଦା ନେଇଥିଲା କଂଗ୍ରେସ । କଂଗ୍ରେସ ଏହି ପ୍ରସଙ୍ଗ ଜୋରଦାର ଭାବେ ଉଠାଇବା ସହ ବୋମ୍ମାଇ ସରକାରଙ୍କୁ ଷଣ୍ଡୁଆସୀ ଆକ୍ରମଣ କରିଥିଲା । କେବଳ ସେତିକି ନୁହେଁ, ବିଜେପି ବିଧାୟକ ଏମ. ବିରୁପକ୍ଷପ୍ପାଙ୍କ ଗିରଫଦାରୀ ପରେ ଏହି ପ୍ରସଙ୍ଗ ଆହୁରି ଜୋର୍ ଧରିଥିଲା ଯେତେବେଳେ ତାଙ୍କ ପୁଅଙ୍କୁ ଲାଂଚ ନେବାବେଳେ ଗିରଫ କରାଯାଇଥିଲା । ବୋମ୍ମାଇ ସରକାରକୁ ‘୪୦ ପର୍ସେଂଟ୍ କମିଶନ’ ସରକାର ବୋଲି ଟାର୍ଗେଟ କରି ଏହି ପ୍ରସଙ୍ଗକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିଥିଲା କଂଗ୍ରେସ । କଂଗ୍ରେସର ଆକ୍ରମଣାତ୍ମକ ପ୍ରଚାର ଆଗରେ ରାଜ୍ୟ ବିଜେପି ଅସହାୟ ହୋଇପଡିଥିଲା । ଆଉ ଏହାର ନିର୍ବାଚନୀ ଫାଇଦା କଂଗ୍ରେସକୁ ମିଳିଲା ।
ବି.ଏସ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ କରିବା ମଧ୍ୟ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ଭାବେ ୟେଦିୟୁରପ୍ପା ପରିଚିତ । କିନ୍ତୁ ୟେଦିୟୁରପ୍ପାଙ୍କ ସ୍ଥାନ ନେଇଥିବା ବାସବରାଜ ବୋମ୍ମାଇ ଜଣେ ଦକ୍ଷ ଓ ସମର୍ଥ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରମାଣିତ କରିପାରିଲେ ନାହିଁ ବୋମ୍ମାଇ । ନିର୍ବାଚନରେ ୟେଦିୟୁରପ୍ପାଙ୍କ ବିକଳ୍ପ ଭାବେ ଆଉ ଜଣେ ଲୋକପ୍ରିୟ ଟାଣୁଆ ନେତାଙ୍କୁ ଆଗକୁ ଆଣିପାରିଲା ନାହିଁ ବିଜେପି । ୟେଦିୟୁରପ୍ପାଙ୍କୁ ମଧ୍ୟ ଏଥରର ନିର୍ବାଚନରେ ଅଣଦେଖା କରାଯାଇଥିଲା । ଫଳସ୍ୱରୂପ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲା ରାଜ୍ୟ ବିଜେପି । କିନ୍ତୁ ଏହାର ବୀପରିତ କଂଗ୍ରେସ ହାଇକମାଣ୍ଡ୍ ପିସିସି ସଭାପତି ଡି.କେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଭଳି ସ୍ଥାନୀୟ ନେତୃତ୍ୱ ଉପରେ ପ୍ରଚାର ଦାୟିତ୍ୱ ଛାଡି ଦେଇଥିଲା । ସେମାନଙ୍କ ରଣନୀତି ଓ ଦକ୍ଷତା ଉପରେ ବିଶ୍ୱାସ କରିଥିଲା କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଏପରିକି ଗାନ୍ଧି ପରିବାରର ସଦସ୍ୟ ମଧ୍ୟ ନିଜକୁ ପ୍ରଚାରରେ ସେତେଟା ସଂପୃକ୍ତ କରିନଥିଲେ । ସ୍ଥାନୀୟ ନେତାଙ୍କ ଉପରେ ଆସ୍ଥା ସ୍ଥାପନ କଂଗ୍ରେସ ପାଇଁ ଆଶୀର୍ବାଦ ସଦୃଶ ହୋଇଛି । କିନ୍ତୁ ବିଜେପି ଏ ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଛି ।
ବିଜେପିର ‘ଧାର୍ମିକ ଧ୍ରୁବୀକରଣ ରାଜନୀତି’ ମଧ୍ୟ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ହିନ୍ଦୁତ୍ୱ କାର୍ଡ ଖେଳି ଧ୍ରୁବୀକରଣ ଜୋରଦାର ପ୍ରୟାସ କରିଥିଲା ବିଜେପି । କିନ୍ତୁ ଏହି ରଣନୀତି କାମ ଦେଲା ନାହିଁ । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଗତବର୍ଷଠାରୁ ହିଁ ହଲାଲା, ହିଜବ, ଅଜାନ୍ ଭଳି ବିବାଦୀୟ ଧାର୍ମିକ ପ୍ରସଙ୍ଗ ଉଠାଇଥିଲା । ବଜରଙ୍ଗ ଦଳକୁ କଂଗ୍ରେସ ବ୍ୟାନ କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ଘୋଷଣା କଲା ପରେ ଏହି ପ୍ରସଙ୍ଗ ମଧ୍ୟ ଜୋରଦାର ଭାବେ ଉଠାଇଥିଲା ବିଜେପି । କିନ୍ତୁ ବିଜେପିର ଏହି ହିନ୍ଦୁତ୍ୱ କାର୍ଡ ଓ ଧ୍ରୁବୀକରଣ ରାଜନୀତି କର୍ଣ୍ଣାଟକରେ ସଫଳ ହୋଇନାହିଁ । ବରଂ ଦଳ ପାଇଁ ଏହା ବୁମେରାଂ ସଦୃଶ ହୋଇଛି ।ଏହାଛଡା ନିର୍ବାଚନର ଠିକ୍ ପୂର୍ବରୁ ଚାରି ପ୍ରତିଶତ ମୁସଲିମ ସଂରକ୍ଷଣ ବ୍ୟବସ୍ଥା ଉଠାଇ ଦେଇଥିଲେ ବିଜେପି ସରକାର । କିନ୍ତୁ ଏହାର ବୀପରିତ ଫଳ ହୋଇଥିଲା । ମୁସଲିମମାନେ ଏହି ନିଷ୍ପତ୍ତି ବିରୋଧରେ ଏକଜୁଟ୍ ହୋଇ କଂଗ୍ରେସକୁ ଭୋଟ୍ ଦେଇଥିଲେ । କିନ୍ତୁ ବିଜେପିକୁ ଆଶାନୁରୂପକ ହିନ୍ଦୁ ଭୋଟ୍ ମଧ୍ୟ ମିଳିଲା ନାହିଁ । ଆଉ ଗୋଟିଏ ବଡକଥା ହେଲା ଯେ, କଂଗ୍ରେସ ନିଜର ମୁସଲିମ, ଦଳିତ ଓ ଓବିସି ଭୋଟ୍ ବ୍ୟାଙ୍କର ସମର୍ଥନ ବଜାୟ ରଖିବା ସହ ସହ ଲିଙ୍ଗାୟତ ସଂପ୍ରଦାୟର ଆସ୍ଥା ଭାଜନ ହେବାରେ କିଛି ପରିମାଣରେ ସଫଳ ହୋଇଛି ।
ଦରବୃଦ୍ଧି ଓ ବେକାରୀ ଭଳି ପ୍ରସଙ୍ଗ ମଧ୍ୟ ବିଜେପିକୁ ପଛରେ ପକାଇଛି । ପେଟ୍ରୋଲ, ଡିଜେଲ , ଗ୍ୟାସ ଦରବୃଦ୍ଧିକୁ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ କରିଥିଲା କଂଗ୍ରେସ । ଦରବୃଦ୍ଧି ପ୍ରସଙ୍ଗରେ ବିଜେପି ସରକାର ବିରୋଧରେ ଜନମତ ସୃଷ୍ଟି କରିବାରେ କଂଗ୍ରେସ ସଫଳ ହୋଇଥିବା ମନେହେଉଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଦରବୃଦ୍ଧି ନେଇ ପ୍ରବଳ ଅସନ୍ତୋଷ ଥିଲା । ଏହାକୁ ଆୟୁଧ କରିଥିଲା କଂଗ୍ରେସ । ଏଥିସହ ବିଭିନ୍ନ ମନଲୋଭା ‘ମାଗଣା ଯୋଜନା’ ଦ୍ୱାରା କଂଗ୍ରେସ ମଧ୍ୟବିତ୍ତ ଓ ଗରିବଙ୍କ ଭୋଟ୍ ପାଇବାରେ ସଫଳ ହୋଇଛି । ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ପ୍ରତିଶ୍ରୁତି କଂଗ୍ରେସକୁ ନିର୍ବାଚନୀ ଫାଇଦା ଦେବାରେ ସହାୟକ ହୋଇଛି ବୋଲି ମଧ୍ୟ କୁହାଯାଇପାରିବ । ଏହାଛଡା ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଉପରେ ଅଧିକ ଫୋକସ କରିଥିଲା କଂଗ୍ରେସ, ଯାହା କି ଦଳକୁ ନିର୍ବାଚନରେ ଅଧିକ ଆସନ ଜିତିବାରେ ସହାୟକ ହୋଇଛି ।
କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟ ଉପରେ ବିଜେପିର ସଫଳତା ସର୍ବତା ନିର୍ଭର କରିଥାଏ । କିନ୍ତୁ ଏଥର ନିର୍ବାଚନର ଠିକ୍ ପୂର୍ବରୁ ଜଗଦୀଶ ସେଟ୍ଟାର ଓ ଲକ୍ଷ୍ମଣ ସାଭଡିଙ୍କ ଭଳି ଟାଣୁଆ ଲିଙ୍ଗାୟତ ନେତାଙ୍କୁ ବିଜେପି ଉପେକ୍ଷା କରିଥିଲା । ଟିକେଟ ନ ମିଳିବାରୁ ଅପମାନିତ ହୋଇ ଦୁଇ ନେତା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦୁଇ ଟାଣୁଆ ଲିଙ୍ଗାୟକ ନେତାଙ୍କ ଦଳତ୍ୟାଗ ବିଜେପିର କ୍ଷତି କରିଛି ବୋଲି କୁହାଯାଉଛି । ଏହାଛଡା ଦଳୀୟ ଅସନ୍ତୋଷ ଓ ବିଦ୍ରୋହୀ ପ୍ରାର୍ଥୀ ଏବଂ ଅନେକ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଯିବା ଯୋଗୁଁ ବିଜେପିର ପତନ ଘଟିଲା ବୋଲି କୁହାଯାଉଛି ।
ଏଥର ବିଜେପି ପାଇଁ କର୍ଣ୍ଣାଟର ନିର୍ବାଚନ ଦାୟିତ୍ୱରେ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କର୍ଣ୍ଣାଟକରେ ବିଜେପିର ପରାଜୟ ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟୀ କରାଯାଇପାରେ କି ? ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ଭୋଟରଙ୍କ ମୁଡ୍ ପରଖିବାରେ ବିଫଳ ହେଲେ କି ? ଦଳ ମଧ୍ୟରେ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳକୁ ଧର୍ମେନ୍ଦ୍ର ପ୍ରଧାନ ଠିକ୍ ଭାବେ ମୁକାବିଲା କରିପାରିଲେ ନାହିଁ କାହିଁକି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ । ଟିକେଟ ନ ମିଳିବାରୁ ଜଗଦୀଶ ସେଟ୍ଟାର ଯେତେବେଳେ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ସଂକେତ ଦେଇଥିଲେ, ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏଥିରୁ ସ୍ପଷ୍ଟ ଯେ, କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଇନ୍ଚାର୍ଜଙ୍କ ନିୟନ୍ତ୍ରଣରେ କିଛି ନ ଥିଲା ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ କଂଗ୍ରେସ ପାଇଁ ସଞ୍ଜିବନୀ ସଦୃଶ ହୋଇଛି । କାରଣ ୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭଳି ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜୟ ଦଳର ମନୋବଳ ବଢାଇବ ନିଶ୍ଚିତ । କାରଣ ନିକଟ ଅତୀତରେ ଅନେକ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ହିଁ ସାମନା କରିବାକୁ ପଡିଛି । କେବଳ ହିମାଚଳ ପ୍ରଦେଶରେ ହିଁ ଦଳ କ୍ଷମତାକୁ ଆସିଛି । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏସବୁ ରାଜ୍ୟରେ କଂଗ୍ରେସ ଯଦି ସନ୍ତୋଷଜନକ ପ୍ରଦର୍ଶନ କରେ,ତାହା ହେଲେ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ବିଜେପି ବିରୋଧୀ ମେଂଟରେ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିବ ।