କଲେଜ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ୫ଟି ସଚିବ: “ଶୀଘ୍ର ରୁପାନ୍ତରୀକରଣ, ଭଲ ପଢ଼ି ସୁନାମ ରଖ”

ଛତ୍ରପୁର: ବିଗତ ରବିବାର ୫ଟି ସଚିବ ଭି.କେ.ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଶେରଗଡ଼ ଓ ହିଞ୍ଜିଳି ବ୍ଲକ୍ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଡିଗ୍ରୀ କଲେଜ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ, ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆଉ କ’ଣ ଆବଶ୍ୟକ ପଚାରି ବୁଝିଥିଲେ ଓ ତାହା ଯୋଗାଇ ଦିଆଯିବ ବୋଲି ଆଶ୍ଵାସନା ଦେଇଥିଲେ। ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯଥେଷ୍ଟ ଅନୁଦାନ ମଞ୍ଜୁର ହୋଇଥିଲା। ତେବେ ସେତିକିରେ ଅଟକି ଯାଇ ନାହାନ୍ତି ୫ଟି ସଚିବ। ଯୋଜନାବଦ୍ଧ ବିକାଶ ପାଇଁ ନିରନ୍ତର ପ୍ରୟାସର ଉଦାହରଣ ସୃଷ୍ଟି କରିଛନ୍ତି। ସୋମବାର ଭିଡିଓ କନଫେରେନ୍ସିଂ ଜରିଆରେ ଶେରଗଡ଼ ବ୍ଲକର ଉଦୟ ପ୍ରତାପ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିତ୍ତଳ ଯୁକ୍ତ ଦୁଇ କଲେଜ, ଆଦର୍ଶ ବିଦ୍ଯାଳୟ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଶୀଘ୍ର ସେମାନଙ୍କ ଶିକ୍ଷାନୁଷ୍ଠାନର ୫ଟି ରୂପାନ୍ତରୀକରଣ ହେବ। କ୍ୟାମ୍ପସର ନବ କଳେବର କରାଯିବ। ଏଥିପାଇଁ ପିଲାମାନେ ଶ୍ରମଦାନ କରନ୍ତୁ। କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରନ୍ତୁ। ଶ୍ରମଦାନ ଓ କାର୍ଯ୍ୟ ଅଗ୍ରଗତିର ଫଟୋ ତାଙ୍କ ସହ ସେୟାର୍ କରନ୍ତୁ ବୋଲି କହି ମୋବାଇଲ୍ ନମ୍ବର୍ ଦେଇଛନ୍ତି। ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ମଧ୍ୟ ପଠାଇବାକୁ କହିଛନ୍ତି। ଏହା ଜରିଆରେ ତୃଣମୂଳ ସ୍ତରରେ ବିଭିନ୍ନ ବର୍ଗର ଲୋକ ବିଶେଷ କରି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ, ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ଓ ବିକାଶ ଦିଗରେ ସାମୂହିକ ଭାଗିଦାରୀର ବଳିଷ୍ଠ ନଜିର ସୃଷ୍ଟି କରିଛନ୍ତି ୫ଟି ସଚିବ।

ପିଲାମାନଙ୍କୁ ସହ କଥାବାର୍ତ୍ତା ବେଳେ ୫ଟି ସଚିବ କହିଥିଲେ ଯେ ଶେରଗଡ଼ର ସମସ୍ତ କଲେଜକୁ ୫ଟି ରୂପାନ୍ତରୀକରଣ ନିମନ୍ତେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନବକଳେବର ସକାଶେ ଅର୍ଥ ପହଞ୍ଚିବା ମାତ୍ରକେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେବ। ଏଥିନିମନ୍ତେ ପରିଚାଳନା କମିଟି, ଅବିଭାବକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହଯୋଗ ଲୋଡ଼ିଥିଲେ ସଚିବ ପାଣ୍ଡିଆନ। ଏହି କାର୍ଯ୍ୟ ସମାପନ ପରେ ଏହି ମଡେଲ୍ ସାରା ରାଜ୍ଯରେ କାର୍ଯ୍ୟକାରୀ କରାଯିବ। ଛାତ୍ରଛାତ୍ରୀମାନେ ଭଲ ପଢ଼ି, ବଡ଼ ମଣିଷ ହେବା ପାଇଁ ପରିଶ୍ରମ କର, କଲେଜର ସୁନାମ ରଖ ବୋଲି ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ଏହି ଆଲୋଚନାରେ ଖୁସିବ୍ୟକ୍ତ କରିବା ସହ ମୁଖ୍ଯମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନିଜ ଗସ୍ତ କାଳରେ ଦେଇଥିବା ଆଉ ଏକ କଥା ମଧ୍ୟ ପୂରଣ କରିଛନ୍ତି ୫ଟି ସଚିବ। ଶେରଗଡ଼ ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ଉଦୟ ପ୍ରତାପ ମହାବିଦ୍ୟାଳୟରେ ଯୁକ୍ତ ତିନି ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳିତ ହୋଇଛି। ଏଣିକି ବ୍ଲକର ଛାତ୍ରଛାତ୍ରୀ ସ୍ନାତକ ବାଣିଜ୍ୟ ଓ ବିଜ୍ଞାନ ଶିକ୍ଷା ପାଇଁ ଦୂରଦୂରାନ୍ତର ଅନ୍ୟ କଲେଜ ଯିବାକୁ ପଡିବ ନାହିଁ। ନିଜ ଅଞ୍ଚଳରେ ସେମାନେ ଏହି ଶିକ୍ଷାଲାଭ କରିପାରିବେ। ଫଳରେ ଶେରଗଡ଼ ବାସିନ୍ଦାଙ୍କ ଦୀର୍ଘ ଦିନର‌ ଦାବି ପୂରଣ ହୋଇପାରିଛି। ବିଗତ ରବିବାର ୫ଟି ସଚିବଙ୍କ ଗସ୍ତ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପରୋକ୍ତ ଦାବି ଉପସ୍ଥାପନ କରିଥିଲେ। ୫ଟି ସଚିବ ସପ୍ତାହକ ମଧ୍ଯରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସେହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ପତ୍ର ସଂଖ୍ଯା ୨୦୬୫୪/ ୧୫.୫.୨୦୨୩ ପ୍ରକାରେ ଯୁକ୍ତ ତିନି ବାଣିଜ୍ଯ ସମ୍ମାନ ପାଠ୍ୟକ୍ରମରେ ୬୪ ସିଟ୍ ଖୋଲିଛି। ଅନୁମତି ମିଳିଛି। ଯୁକ୍ତ ତିନି ବିଜ୍ଞାନ ପାଠ୍ୟକ୍ରମ ଅନ୍ତର୍ଗତ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ପାଇଁ ୩୨ ସିଟ୍ ଲେଖାଏଁ, ବଟାନି ଓ ଜୁଲୋଜି ପାଇଁ ୧୬ ସିଟ୍ ଲେଖାଏଁ ଅନୁମୋଦନ ମିଳିଛି।

Comments are closed.