ବୟନ ଶିଳ୍ପ ଓ ପୋଷାକ କ୍ଷେତ୍ର ପାଇଁ ବେଙ୍ଗାଳୁରୁରେ ଆଜିଠୁ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ବର – ଓଡ଼ିଶା ଯେପରି ଘରୋଇ ଏବଂ ଆନ୍ତର୍ଜାତିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ହେବ,ସେଥିନିମନ୍ତେ ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ-ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ନିବେଶକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ବେଙ୍ଗାଳୁରୁ ଠାରେ ଆଜିଠାରୁ ଦୁଇଦିନିଆ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆରମ୍ଭ ହେଉଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଏକ ବରିଷ୍ଠ ପ୍ରତିନିଧି ଦଳ, ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ବୈଠକରେ ଯୋଗଦେବେ। ଆଜି ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଆୟୋଜନ ହେବ ।

ନିକଟରେ ଓଡ଼ିଶା ସରକାର ‘ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨’ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ଆଣିଛନ୍ତି, ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି । ବେଙ୍ଗାଳୁରୁ ମିଟ୍ ରେ ଓଡ଼ିଶା ପ୍ରତିନିଧି ଦଳ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବା ସହ ଓଡ଼ିଶାକୁ ଟେକ୍ସଟାଇଲ୍ ଓ ଆପାରେଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପ ସବୁ ଉପସ୍ଥାପନ କରିବେ।

Comments are closed.