ସ୍ଵଚ୍ଛତା ଓ ପରିମଳ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ମନ୍ତ୍ର ‘୩-ଆର୍’

ବ୍ରହ୍ମପୁର: ହାସ (ରିଡ୍ୟୁସ୍‌), ପୁନଃବ୍ୟବହାର (ରି-ୟୁଜ୍), ପୁନଃଚକ୍ରଣ (ରିସାଇକଲ୍)… ଏହି ୩-ଆର୍‌ ମନ୍ତ୍ରକୁ ନେଇ ସ୍ବଚ୍ଛତା ଓ ପରିମଳ କ୍ଷେତ୍ରରେ ଏବେ ପାଦେ ପାଦେ ଆଗକୁ ବଢ଼ିଚାଲିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଏଥିପାଇଁ ଖୋଲୁଛି ୩-ଆର୍‌ ସେଣ୍ଟର୍‌। ଯେଉଁଠି ସହରବାସୀ ପରିତ୍ୟକ୍ତ, ଅବ୍ୟବହୃତ ଅଥଚ ପୁନଃବ୍ୟବହାର ବା ପୁନଃଚକ୍ରଣଯୋଗ୍ୟ ଆବର୍ଜନା, ପ୍ଲାଷ୍ଟିକ୍‌ ଆଦି ଦେଇପାରିବେ। ତାହାର ପ୍ରକ୍ରିୟାକରଣ କରି ସହରର ଆବର୍ଜନା ହ୍ରାସ ପାଇଁ ଉଦ୍ୟମ କରାଯିବ। ଏଥିସହ ଏଭଳି ଜିନିଷ ଦରକାର କରୁଥିବା ଲୋକଙ୍କୁ ଉକ୍ତ ପ୍ରକ୍ରିୟାକୃତ ସାମଗ୍ରୀ ଯୋଗାଇ ସେମାନଙ୍କ ଆବଶ୍ୟକତାକୁ କିଛି ମାତ୍ରାରେ ପୂରଣ କରାଯିବାକୁ ପ୍ରୟାସ କରାଯିବ।

ବ୍ରହ୍ମପୁର ମହାନଗର ଓ୍ଵାର୍ଡ- ୯ ଗଣେଶ ନଗର କଲ୍ୟାଣ ମଣ୍ଡପ ଠାରେ ପ୍ରଥମ କରି ୩-ଆର୍‌ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ “ମୋ ଜୀବନ ମୋ ସ୍ଵଚ୍ଛ ସହର” ଅଭିଯାନ ଅନ୍ତର୍ଗତ ଏହି କେନ୍ଦ୍ର ଖୋଲିଛି। ପର୍ଯ୍ୟାୟକ୍ରମେ ସହରର ସମସ୍ତ ଓ୍ବାର୍ଡରେ ଏହିଭଳି କେନ୍ଦ୍ର ଖୋଲିବ। ପୁରୁଣା ବହି, ଖାତା, କାଗଜ, ପୁରୁଣା ପୋଷାକ ଆଦିକୁ ସହରବାସୀ ଏହି କେନ୍ଦ୍ରରେ ପ୍ରଦାନ କରିବା ପରେ ସେଗୁଡ଼ିକୁ ବିଭକ୍ତ କରାଯାଇ ବ୍ୟବହାରଯୋଗ୍ୟ ଏବଂ ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ ବର୍ଜ୍ୟ ସାମଗ୍ରୀକୁ ପୃଥକ୍‌ କରାଯିବ। ଏହି ଅବସରରେ ଏକ ସଚେତନତା ରଥ ଉଦ୍‌ଘାଟନ କରାଯାଇଛି ଯାହା ୩- ଆର୍‌ କେନ୍ଦ୍ରର ବିଶେଷତ୍ତ୍ୱ ନେଇ ସହରବାସୀଙ୍କୁ ସଚେତନ କରାଇବ।

ସେହିପରି ସ୍ବଚ୍ଛତା କ୍ଷେତ୍ରରେ ୩-ଆର୍‌ ମନ୍ତ୍ରକୁ ଆଧାର କରି ଆଉ ପାଦେ ଆଗକୁ ବଢ଼ିଛି ହିଞ୍ଜିଳିକାଟୁ ପୌର ପରିଷଦ। ସ୍ଥାନୀୟ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ରରେ ଆୟୋଜିତ ହୋଇଥିଲା ମୋ ସ୍ବଛ ସହର, ମୋ ଜୀବନ କାର୍ଯ୍ୟକ୍ରମ। ଏହାର ଲକ୍ଷ୍ୟ ଥିଲା ଯେ ଲୋକେ ଘରର ଅନୁପଯୋଗୀ ଜିନିଷପତ୍ର ଆର୍‌ଆର୍‌ଆର୍‌ କେନ୍ଦ୍ରରେ ଜମା ଦେବେ ଏବଂ ଅଭାବୀ ବ୍ୟକ୍ତିଙ୍କୁ ଲାଭ ପହଞ୍ଚାଇବେ। ପୌରପାଳିକା ଅଳିଆ ଆବର୍ଜନାବୁହା ଗାଡ଼ିକୁ ବ୍ୟବହାରରେ ଲଗାଇବା, ସାହି ଓ ରାସ୍ତାଘାଟ ସଫାସୁତୁରା ରଖିବା ନିମନ୍ତେ ଲୋକଙ୍କୁ ସଚେତନ କରିବାକୁ ଏହି ଅବସରରେ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପ୍ରତି ଓ୍ବାର୍ଡରେ କମିଟି ଗଠନ କରି ଜନସଚେତନତା କାର୍ଯ୍ୟକ୍ରମ କରାଯିବ।

ବୁଗୁଡ଼ା ଏନ୍‌ଏସିରେ ଆୟୋଜିତ ହୋଇଥିଲା ‘ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଏବଂ ‘ମୋ ସ୍ବଚ୍ଛ ସହର, ମୋ ଜୀବନ’ କାର୍ଯ୍ୟକ୍ରମ। ପୁରୁଣା ବହି, ଖାତା, କାଗଜ, ପୋଷାକ, ଯୋତା, ପ୍ଲାଷ୍ଟିକ୍‌ ଖେଳନା ଆଦି ଏନ୍‌ଏସି ପରିଚାଳିତ ଆର୍‌.ଆର୍‌.ଆର୍‌ ସେଣ୍ଟର୍‌ରେ ଦେବାକୁ ଲୋକଙ୍କୁ ସଚେତନ କରାଯାଇ ଥିଲା। ସହରର ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର୍‌ ଏବଂ ଏସ୍‌ଏଚଜି ସଭ୍ୟାମାନେ ଏ ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି।

Comments are closed.