ଭେଟେରାନ ଅଭିନେତା ଶରତ ବାବୁଙ୍କ ପରଲୋକ

ହାଇଦ୍ରାବାଦ: ଦକ୍ଷିଣ ଭାରତର ଭେଟେରାନ୍ ଅଭିନେତା ଶରତ ବାବୁଙ୍କର ସୋମବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ବୟସାଧିକ ଅସୁସ୍ଥତା ଯୋଗୁଁ ଶରତ ବାବୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଏକ ମାସରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଥିଲେ। ସୋମବାର ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା । ଅପରାହ୍ନର ତାଙ୍କର ମୃତ୍ୟୁ ହୋଇଥିଲା । ଭେଟେରାନ ଅଭିନେତାଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନଙ୍କୁ ସ୍ତବ୍ଧ କରିଥିବା ବେଳେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ଚିକିତ୍ସାଧୀନ ଥିବା ସମୟରେ ଶରତ ବାବୁଙ୍କ ମୃତ୍ୟୁକୁ ନେଇ ଅନେକ ଥର ଗୁଜବ ପ୍ରଚାରିତ ହୋଇଥିଲା । ସେହି ସମୟରେ ମିଥ୍ୟା ଖବର ପ୍ରଚାର ନକରିବାକୁ ଅଭିନେତାଙ୍କ ପରିବାର ଲୋକଙ୍କୁ ନିବେଦନ କରିଥିଲେ। କିନ୍ତୁ ଆଜି ଦକ୍ଷିଣର ଏହି ଭେଟେରାନ୍ ଅଭିନେତା ଦୁନିଆରୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି।

ଶରତ ବାବୁ ୧୯୭୩ ମସିହାରେ ଏକ ତେଲୁଗୁ ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ | ସେ ତାଙ୍କ ଅଭିନୟ କ୍ୟାରିୟରରେ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ।

ଶରତ ବାବୁଙ୍କ ପ୍ରକୃତ ନାମ ସତ୍ୟମ୍ ବାବୁ ଦୀକ୍ଷିତୁଲୁ | ସେ ଅଧିକାଂଶ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ କାମ କରିଥିଲେ | ଏହାଛଡ଼ା ଏହି ଭେଟେରାନ୍ ଅଭିନେତା କିଛି କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ କରିଥିଲେ। ସେ ୯ ଥର ନନ୍ଦୀ ପୁରସ୍କାର ପାଇଥିଲେ |

Comments are closed.