ଗୀତା ଉପଦେଶ: ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ
ଶ୍ରୀ ଭଗବାନ ଅର୍ଜୁନ ଙ୍କୁ ବ୍ରହ୍ମ କାହାକୁ କୁହା ଯାଏ ବୁଝାଇ କହୁଛନ୍ତି
ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।
ଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।।୩।।
ଅର୍ଥାତ୍: ଶ୍ରୀକୃଷ୍ଣ କହୁଛନ୍ତି ଯେ ପରାତ୍ପର ତତ୍ତ୍ୱକୁ ବ୍ରହ୍ମ କୁହାଯାଏ । (ବେଦରେ ଉଲ୍ଲେଖଥିବା ଭଗବାନଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ନାମ ବ୍ରହ୍ମ ଅଟେ) । ଏହା ସୀମାତୀତ, କାଳାତୀତ ଏବଂ ‘କାରଣ-କାର୍ଯ୍ୟ’ର ଚକ୍ରର ଅତୀତ ଅଟେ । ଏସବୁ ଭୌତିକ ଜଗତର ଲକ୍ଷଣ ଅଟେ, ଅଥଚ ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ । ବିଶ୍ୱ ବ୍ରହ୍ମାଣ୍ଡର ପରିବର୍ତ୍ତନରେ ସେ ପ୍ରଭାବିତ ହୁଅନ୍ତି ନାହିଁ; ସେ ଅବିନଶ୍ୱର ଅଟନ୍ତି । ତେଣୁ ତାଙ୍କୁ ‘ଅକ୍ଷରଂ’ ଭାବରେ ବର୍ଣ୍ଣନା କରାଯାଇଅଛି । ବୃହଦାରଣ୍ୟକ ଉପନିଷଦର ୩.୮.୮ରେ ବ୍ରହ୍ମଙ୍କର ଏହି ସମାନ ରୂପର ବର୍ଣ୍ଣନା କରାଯାଇଅଛି: “ଜ୍ଞାନୀମାନେ ବ୍ରହ୍ମଙ୍କୁ ଅକ୍ଷର (ଅବିନଶ୍ୱର) କୁହନ୍ତି । ତାଙ୍କୁ ପରଂ (ସର୍ବଶ୍ରେଷ୍ଠ) ରୂପେ ମଧ୍ୟ ଆଖ୍ୟାୟିତ କରାଯାଏ, କାରଣ ସେ ଏପରି ଗୁଣର ଅଧିକାରୀ ଅଟନ୍ତି ଯାହା ମାୟା ଏବଂ ଜୀବ ଗୁଣର ବହୁ ଉର୍ଦ୍ଧ୍ୱରେ ।
ଆଧ୍ୟାତ୍ମିକ ପଥକୁ ‘ଆଧ୍ୟାତ୍ମ’ କୁହାଯାଏ ଏବଂ ଆତ୍ମାର ବିଜ୍ଞାନକୁ ମଧ୍ୟ ଆଧ୍ୟାତ୍ମ କୁହାଯାଏ । କିନ୍ତୁ ଏଠାରେ ଏହି ଶବ୍ଦଟି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ଯାହା ଆତ୍ମା, ଶରୀର, ମନ ଏବଂ ବୁଦ୍ଧିକୁ ବୁଝାଇ ଥାଏ ।
କର୍ମର ତାତ୍ପର୍ଯ୍ୟ ନିଜ ଦ୍ୱାରା କରାଯାଉଥିବା କାର୍ଯ୍ୟ, ଯାହା ଜନ୍ମ ଜନ୍ମ ଧରି ଜୀବର ସ୍ୱତନ୍ତ୍ର ଅସ୍ତିତ୍ୱ ନିର୍ଦ୍ଧାରଣ କରିଥାଏ । ଏହି କର୍ମ ଜୀବକୁ ସଂସାରରେ (ମାୟିକ ଜଗତର ଚକ୍ରରେ) ଘୂରାଉଥାଏ ।
Comments are closed.