ଆଜି ଶ୍ରୀକ୍ଷେତ୍ରରେ ପଞ୍ଚମହାଦେବଙ୍କ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀରେ କନ୍ୟାଚୋରି ନୀତି

ଆମେ ଯଦି ଶିବ ମନ୍ଦିର ମାନଙ୍କରେ ପରମ୍ପରାକୁ ଦେଖିବା, ପ୍ରତ୍ୟେକ ଶିବ ମନ୍ଦିରରେ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଏବଂ ପାର୍ବତୀ ଅବସ୍ଥାନ କରନ୍ତି। କିନ୍ତୁ ଶ୍ରୀକ୍ଷେତ୍ରର ମୁଖ୍ୟତଃ ପଞ୍ଚ ପାଣ୍ଡବ ବା ପଞ୍ଚ ମହାଦେବ (ଶ୍ରୀ ଯମ୍ବେଶ୍ବର,ଶ୍ରୀ ଲୋକ- ନାଥ, ଶ୍ରୀ ମାର୍କଣ୍ଡେଶ୍ଵର,ଶ୍ରୀ କପାଳମୋଚନ, ଶ୍ରୀ ନୀଳକଣ୍ଠ) ଙ୍କ ଚଳନ୍ତି ପ୍ରତିମା ମାନେ ଅନ୍ୟ ଶିବ ମନ୍ଦିର ଭଳି ନିଜ ମନ୍ଦିରରେ ନ ରହି ଶ୍ରୀମନ୍ଦିରର ଦକ୍ଷିଣ ଘର (ଯୋଉଠି ଶ୍ରୀ ମଦନମୋହନ ରହନ୍ତି) ଆଉ ଭଣ୍ଡାର ଘରେ ରୁହନ୍ତି, କେବଳ ଲୋକନାଥ ଭଣ୍ଡାର ଘରେ ମହାମନ୍ତ୍ରୀ ପଦରେ ରହନ୍ତି। ଆଉ ବାକି ଚାରି ମହାଦେବଙ୍କ ଚଳନ୍ତି ପ୍ରତିମା ମାନେ ଦକ୍ଷିଣ ଘରେ ରହନ୍ତି।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ। ଏହି ପଞ୍ଚ ମହାଦେବଙ୍କ ପାର୍ବତୀଙ୍କ ପ୍ରତିମାମାନେ ନିଜ ନିଜ ସେବକଙ୍କ ଘରେ କୁମାରୀ ଝିଅ ଭାବେ ରହନ୍ତି। ଶିବ ବିବାହର ପୂର୍ବଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀର ସଂଧ୍ୟା ଧୂପ ସରିଲେ, ପଞ୍ଚ ମହାଦେବଙ୍କ ଚଳନ୍ତି ପ୍ରତିମାମାନେ ନିଜ ନିଜ ସେବକ ଘରକୁ ପାଲିଙ୍କିରେ ବିଜେ ହୁଅନ୍ତି। ସେଠାରେ ଭୋଗ ବନ୍ଦାପନା ବଢ଼ିଲା ପରେ ନିଜ ପାର୍ବତୀଙ୍କୁ ସଂଗରେ ନେଇ ନିଜ ମନ୍ଦିରକୁ ବିଜେ କରନ୍ତି।

ଏ ନୀତିକୁ କନ୍ୟାଚୋରୀ ନୀତି କୁହାଯାଏ । ଏଠାରେ ପ୍ରଶ୍ନ ଉଠେ ଶିବ କଣ ସତରେ ପାର୍ବତୀଙ୍କୁ ଚୋରି କରି ବିବାହ କରିଥିଲେ!

ଉତ୍ତର ହେବ ନା ‘, ତେବେ ଏପରି ନୀତି ପଛରେ ଏକ କାରଣ ଅଛି, ଯେତେବେଳେ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀ ମଦନମୋହନ ରୁକ୍ମିଣୀ ବା ଲକ୍ଷ୍ମୀଠାକୁରାଣୀଙ୍କୁ ହରଣ କରି ବିବାହ କରନ୍ତି, ସେତେବେଳେ ପଞ୍ଚ ମହାଦେବ ସ୍ବ ସ୍ବ ପାର୍ବତୀଙ୍କୁ ମଧ୍ୟ ସେବକ ଘରୁ ନେଇ ବିବାହ କରନ୍ତି। ଶ୍ରୀକ୍ଷେତ୍ରରେ ତ ଯାହା ହୁଏ, ସବୁ କଥାରେ ସାଆନ୍ତଙ୍କ ଛାପ ରହି ଥାଏ, ତେଣୁ ପଞ୍ଚ ମହାଦେବଙ୍କ ସେବକଙ୍କ ଘରୁ ପାର୍ବତୀଙ୍କୁ ନେବା ନୀତିକୁ କନ୍ୟା ଚୋରି ଆଖ୍ୟା ଦେବା କିଛି ଅତ୍ୟୁକ୍ତି ହେବନାହିଁ।
ଅନନ୍ୟ ଶ୍ରୀକ୍ଷେତ୍ର ଆଉ ଅନନ୍ୟ ଏହାର ପରମ୍ପରା। ଯାହା ପରମ୍ପରା ଅନୁଯାୟୀ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.