୧୪୦ କୋଟିରେ ନିର୍ମାଣ ହେବ ଗୋପାଳପୁର ବନ୍ଦର- ଟାଟା ଏସ୍ଇଜେଡ୍ ୟୁଟିଲିଟି କରିଡର୍‌

ବ୍ରହ୍ମପୁର: ଗୋପାଳପୁର ବନ୍ଦରକୁ ଅଧିକ ଉପଯୋଗୀ କରିବା, ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା, ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍)କୁ ଅଧିକ କ୍ରିୟାଶୀଳ କରିବାକୁ ହୋଇଛି ନୂଆ ଯୋଜନା। ଗଞ୍ଜାମ ଜିଲ୍ଲାକୁ ଶିଳ୍ପ ସଂସ୍ଥା ଓ ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବା ଏବଂ ସେମାନଙ୍କ ପାଇଁ କଞ୍ଚାମାଲ ସମେତ ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଡ଼ କରିବାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଗୋପାଳପୁର ବନ୍ଦରରୁ ଟାଟା ଷ୍ଟିଲ୍‌ ଏସ୍ଇଜେଡ୍ ମଧ୍ୟରେ ସ୍ୱତନ୍ତ୍ର ୟୁଟିଲିଟି କରିଡର୍ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏଥିସକାଶେ ଆର୍ଥିକ ଅନୁଦାନ ସ୍ବରୂପ ୧୪୦ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି। ଏହାର ନିର୍ମାଣ ପାଇଁ ଟେଣ୍ଡର୍ ଆହ୍ବାନ କରିଛି ଇଡ୍‌କୋ। ଏହି କରିଡର୍ ଅନ୍ତର୍ଗତ ବିସ୍ତୀର୍ଣ୍ଣ ଓ ବିକଶିତ ରାସ୍ତା ସହ ଆନୁସଙ୍ଗିକ ସୁବିଧା ଉପଲବ୍ଧ ହେବ। ୩ କିମି ଲମ୍ବା ଓ ୬୦ ମିଟର ଓସାର ବିଶିଷ୍ଟ ୟୁଟିଲିଟି କରିଡର୍‌ରେ ବିନା ପ୍ରତିବନ୍ଧକରେ ଗୋପାଳପୁର ବନ୍ଦରରୁ ଟାଟା ପ୍ରକଳ୍ପକୁ କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ପରିବହନ କରିହେବ। ଫଳରେ ଉତ୍ପାଦନ ବୃଦ୍ଧି ସହ ସାମଗ୍ରୀର ବଜାରୀକରଣ ସହଜକର ହୋଇପାରିବ।

Comments are closed.