ଯୁଗଳମୂର୍ତ୍ତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ କମ୍ପୁଛି ସମ୍ବଲପୁର

ସମ୍ବଲପୁର: ଗତକାଲି ବିବାହ ପରେ ବିଳମ୍ବିତ ରାତିରୁ ନଗର ପରିକ୍ରମା ଶୋଭାଯାତ୍ରାରେ ବାହାରିଛନ୍ତି ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀ। ମହଣ ମହଣ ରୂପା, ସୁନା ଅଳଙ୍କାରରେ ଭୂଷିତ ହୋଇ ଆକର୍ଷଣୀୟ ପରଭା ସମ୍ମୁଖରେ ବିରାଜମାନ କରିଛନ୍ତି ଯୁଗଳମୂର୍ତ୍ତି। ଆଉ ବିଶାଳ ଜନସମୁଦ୍ର ଭିତରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ଶୋଭାଯାତ୍ରା ଦେଶର ପ୍ରତିଟି ପ୍ରାନ୍ତର କଳାକାରଙ୍କ ପ୍ରଦର୍ଶନରେ ଦୁଲୁକି ଉଠିଛି।

ଗତକାଲି ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଯୁଗଳ ଦର୍ଶନ ଶୋଭାଯାତ୍ରା ଆଜି ଭୋରରେ କିଛି ସମୟ ପାଇଁ ବନ୍ଦ ରହିଥିଲା। ଆଉ ପୂର୍ବାହ୍ନରୁ ମୁଣ୍ଡ ଫଟା ଖରାରେ ବି ଜାରି ରହିଛି ଏହି ଶୋଭାଯାତ୍ରା। ଏଥିରେ ରାଜ୍ୟ ତଥା ଦେଶର ସମସ୍ତ ପ୍ରାନ୍ତର ଉଭୟ ଲୋକକଳା ଏବଂ ଆଧୁନିକ ନୃତ୍ୟ ସାମିଲ ହୋଇଛି। କେରଳର କାନ୍ତାରା ଓ ଅଘୋରୀ ନୃତ୍ୟରୁ ଆରମ୍ଭ କରି ଆସାମର ବିହୁ, ପଞ୍ଜାବର ଭାଙ୍ଗଡ଼ା, ପଶ୍ଚିମବଙ୍ଗର ଛଉ, ଉଜ୍ଜୈନର ଡମ୍ବରୁ ସମେତ ଲକ୍ଷ୍ନୌ, କୋଲକାତା, ମୁମ୍ବାଇ ଆଦି ବିଭିନ୍ନ ଅଞ୍ଚଳର ଆଧୁନିକ ନୃତ୍ୟ ଦଳ ସାମିଲ ହୋଇଛନ୍ତି। ଆଉ ଏହାକୁ ଉପଭୋଗ କରିବାକୁ ସମ୍ବଲପୁର ସହରର ସବୁ ଜନପଥ ଟାଣ ଖରାରେ ବି ଜନସମୁଦ୍ରରେ ପରିଣତ ହୋଇଛି। ଏହି ଶୋଭାଯାତ୍ରା ଆଜି ସନ୍ଧ୍ୟାରେ ଶେଷ ହେବା ସହିତ ଦେବ ଦମ୍ପତ୍ତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହାସହ ଚଳିତ ବର୍ଷର ଷଷ୍ଠୀ ଯାତ୍ରା ଉଦଯାପିତ ହେବ।

Comments are closed.