ନୂଆ ସଂସଦ ଭବନର ଉଦଘାଟନ ନେଇ ଦାୟର ପିଟିସନ ଖାରଜ, ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରିବାକୁ ଦାବି କରି ଦାୟର ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏପରି ପିଟିସନ ପାଇଁ କୋର୍ଟ ମଧ୍ୟ ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି । ଯଦି ପୁଣି ଏପରି ପିଟିସନ ଦାଖଲ ହୁଏ ତେବେ ଜରିମାନା ଲଗାଯିବ ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ।

ଓକିଲ ଜୟା ସୁକିନ୍ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ନୂଆ ସଂସଦ ଭବନର ଉଦଘାଟନ ନେଇ ଲୋକସଭା ସଚିବାଳୟ ତରଫରୁ ମେ ୧୮ ରେ ଜାରି ବୟାନ ଓ ଲୋକସଭାର ମହାସଚିବଙ୍କ ଦ୍ବାରା ଜାରି ନିମନ୍ତ୍ରଣ ଭାରତୀୟ ସମ୍ବିଧାନର ଉଲ୍ଲଂଘନ । ସାମ୍ବିଧାନିକ ମୁଖ୍ୟ ଭାବେ ରାଷ୍ଟ୍ରପତି ହିଁ ନୂଆ ସଂସଦ ଭବନର ଉଦଘାଟନ କରିବା ଉଚିତ ବୋଲି ସେ ତାଙ୍କ ଆବେଦନରେ ଯୁକ୍ତି କରିଥିଲେ ।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଅପମାନ ହୋଇଥିବା ଅଭିଯୋଗ କରି କଂଗ୍ରେସ ସମେତ ୨୧ ବିରୋଧୀ ଦଳ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଂସଦ ଭବନକୁ ଉଦଘାଟନ କରିବା ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଏବଂ ସମ୍ବିଧାନର ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି।

Comments are closed, but trackbacks and pingbacks are open.