ବ୍ରହ୍ମପୁର ସରକାରୀ ଆଇଟିଆଇକୁ ତିନି ସ୍କଚ୍ ଅର୍ଡର୍ ଅଫ୍ ମେରିଟ୍

ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ତିନୋଟି ପଦକ୍ଷେପକୁ ସ୍କଚ୍ ଅର୍ଡର୍ ଅଫ୍ ମେରିଟ୍ ପୁରସ୍କାର ମିଳିଛି । ବାଳିକାମାନଙ୍କୁ କୌଶଳ ବିକାଶ ଓ କର୍ମ ନିଯୁକ୍ତି, ଏଚ୍ଆଇଭି ପଜିଟିଭ୍ ଅନାଥ ଶିଶୁଙ୍କ ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା, ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି (ଓ୍ବେଷ୍ଟ ଟୁ ଓ୍ବେଲଥ) ଏହି ତିନୋଟି କ୍ଷେତ୍ରରେ ବ୍ରହ୍ମପୁର ଆଇଟିଆଇ କାର୍ଯ୍ୟକୁ ସ୍କଚ୍ ପୁରସ୍କାରର ସେମିଫାଇନାଲ୍ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି।

ବ୍ରହ୍ମପୁର ସରକାରୀ ଆଇଟିଆଇ ଆଡମିଶନରୁ ଆରମ୍ଭ କରି ଶିକ୍ଷା ଦାନ ଓ କର୍ମନିଯୁକ୍ତି (କ୍ୟାମ୍ପସ୍ ଚୟନ) କ୍ଷେତ୍ରରେ ବାଳିକାମାନଙ୍କୁ ବେଶ୍ ପ୍ରୋତ୍ସାହନ ଦେଇ ଆସୁଛି। ଆଇଟିଆଇ ମୋଟ ୨୦୦୦ରୁ ଊର୍ଦ୍ଧ୍ବ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ ୩୦ ପ୍ରତିଶତରୁ ଅଧିକ ହେଉଛନ୍ତି ବାଳିକା। ଗୋପାଳପୁରସ୍ଥିତ ଶ୍ରଦ୍ଧା ସଞ୍ଜୀବନୀ ନିବାସ ଏଚ୍ଆଇଭି ସଂକ୍ରମଣରେ ପ୍ରାଣ ହରାଇଥିବା ବାପା ମାଆଙ୍କ ଅନାଥ ଶିଶୁଙ୍କ ସରକାରୀ ଆଶ୍ରୟସ୍ଥଳ ଅଟେ। ସେଠାକାର ଅନେକ ଅନ୍ତେବାସୀ ଏହି ଆଇଟିଆଇରେ ପଢ଼ି ଆତ୍ମନିଯୁକ୍ତି କିମ୍ବା କୌଣସି ଶିଳ୍ପ ସଂସ୍ଥାରେ ଚାକିରି କରିବା ପାଇଁ ନିଜକୁ ଦକ୍ଷ ବା ଯୋଗ୍ୟ କରି ଗଢ଼ି ତୋଳିଛନ୍ତି। ନିକଟରେ ଏହି ଆଶ୍ରମର ଜଣେ ବାଳିକା ଯିଏକି ବ୍ରହ୍ମପୁର ଆଇଟିଆଇରେ ତାଲିମ ଗ୍ରହଣ କରିଥିଲେ ସେ ଏକ ଅନ୍ତର୍ଜାତୀୟ କମ୍ପାନୀରେ ନିଯୁକ୍ତି ପାଇ ବାଙ୍ଗାଲୁରୁରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ଗତ କିଛି ବର୍ଷ ମଧ୍ୟରେ ଏହି ସରକାରୀ ଆଇଟିଆଇ ଦ୍ବାରା ବର୍ଜ୍ୟ ବସ୍ତୁରୁ ଉଲ୍ଲେଖନୀୟ ସାମଗ୍ରୀ ସୃଷ୍ଟି ଦିଗରେ ଅନେକ ଅନୁକରଣୀୟ ଉଚ୍ଚମାନର ନଜିର ସୃଷ୍ଟି କରାଯାଇଛି। ଏହାରି ମଧ୍ୟରେ ଟାୟାର୍ ପାର୍କ, ଗ୍ରାସ୍ ଆର୍ଟ ପାର୍କ, ବର୍ଜ୍ୟ ଇଲେକଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଆବର୍ଜନାରୁ ଘର ସଜ୍ଜା, ଅଞ୍ଚଳର ସୌନ୍ଦର୍ଯ୍ୟକରଣରେ ଉପଯୋଗୀ ହୋଇପାରୁଥିବା ଅନେକ ସୁନ୍ଦର ଜିନିଷ ସୃଷ୍ଟି କରାଯାଇଛି। ଏ ସବୁ ଦୃଷ୍ଟିରୁ ଉପରୋକ୍ତ ୩ଟି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ବ୍ରହ୍ମପୁର ଆଇଟିଆଇ।

ଗତବର୍ଷ ସେପ୍ଟେମ୍ୱର ମାସରେ ସ୍କଚ୍ ଗ୍ରୁପ୍ ଆହ୍ବାନ କ୍ରମେ ତଥା ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଏହି ପୁରସ୍କାର ପାଇଁ ବ୍ରହ୍ମପୁର ଆଇଟିଆଇ ତରଫରୁ ଉପରୋକ୍ତ କ୍ଷେତ୍ରରେ ଆବେଦନ କରାଯାଇଥିଲା। ଏହି ତିନୋଟି କାର୍ଯ୍ୟ ଶୈଳୀ ଜାତୀୟ ସ୍ତରରେ ମୂଲ୍ୟାୟନ ପରେ ଏବେ ସ୍କଚ୍ ଗ୍ରୁପ୍ ଦ୍ବାରା ସେମିଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଛି।‌ ବ୍ରହ୍ମପୁର ଆଇଟିଆଇର ଏଭଳି ପଦକ୍ଷେପ ଦେଶର ଅନ୍ୟ ଶିକ୍ଷାନୁଷ୍ଠାନ ନିମନ୍ତେ ମଧ୍ୟ ଅନୁକରଣୀୟ ବୋଲି କୁହାଯାଉଛି। ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ରହ୍ମପୁର ଆଇଟିଆଇ କେବଳ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ଏକ ପ୍ରମୁଖ ଓ ସଫଳ ଶିଳ୍ପ ତାଲିମ ପ୍ରତିଷ୍ଠାନ ଭାବେ ସୁନାମ ଅର୍ଜନ କରିଛି।

Comments are closed.