ଶେରଗଡରୁ ପୁରୀକୁ ଗଡିଲା ପ୍ରଥମ ଏସି ବସ୍ -ଜଗନ୍ନାଥ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ – ଜଗନ୍ନାଥ ଏକ୍ସପ୍ରେସ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।ଓଡ଼ିଶା ରାଜ୍ୟ ସଡ଼କ ପରିବହନ- ଓଏସଆରଟିସି ପକ୍ଷରୁ ଏହି ବସ୍ ସେବା ଆରମ୍ଭ କରାଯାଇଛି । ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଞ୍ଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ସ୍କୁଲ ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ଜିଲ୍ଲା ସବୁବେଳେ ଆଗରେ ରହିଛି । ମା’ ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି ୫-ଟି ସ୍କୁଲ ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ ଓ ଓଏସ ଆରଟିସିର ଅଧିକାରୀ ଓ ଶେରଗଡର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Comments are closed.