ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ସମ୍ପର୍ଣ୍ଣ ହୋଇଛି ରୁକ୍ମିଣୀ ବିବାହ ନୀତି | News Room Odisha

ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ସମ୍ପର୍ଣ୍ଣ ହୋଇଛି ରୁକ୍ମିଣୀ ବିବାହ ନୀତି

ପବିତ୍ର ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ସମ୍ପର୍ଣ୍ଣ ହୋଇଛି ରୁକ୍ମିଣୀ ବିବାହ ନୀତି। ଦ୍ବୀପହର ଧୂପ ଶେଷ ହେବାପରେ ଶ୍ରୀମଦନମୋହନ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରରେ ପଡିଥିବା ପଲଙ୍କରେ ବିଜେ କରିଥିଲେ। ଏହାପରେ ଲକ୍ଷ୍ମୀ ମନ୍ଦିରରୁ ଜଣେ ସେବକ ବ୍ରାହ୍ମଣ ବେଶରେ ରୁକ୍ମିଣୀ ପଠାଇ ଥିବା ଗୁପ୍ତ ଚିଟାଉ ଜନୈକ ପୂଜାପଣ୍ଡା ସାମନ୍ତ ପାଠ କରିବା ପରେ ମଦନମୋହନ ସାତ ପାହାଚଠାରେ ଥିବା ରଥରେ ବିଜକରିଥିଲେ ।

ଉକ୍ତ ରଥକୁ ବିମାନବଡୁ ସେବକମାନେ କୁର୍ମବେଢ଼ାସ୍ଥିତ ବିମଳା ଠାକୁରାଣୀଙ୍କ ମନ୍ଦିର ନିକଟକୁ ନେଇଥିଲେ।ଏହି ସମୟରେ ରୁକ୍ମିଣୀ (ଶ୍ରୀଦେବୀ) ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିରରୁ ମାହାରୀଙ୍କୁ(ଦାସୀଙ୍କୁ) ସାଙ୍ଗରେ ନେଇ ଗ୍ରାମ ଦେବତୀ ପୂଜା କରିବାକୁ କୁର୍ମବେଢ଼ାସ୍ଥିତ ବିମଳା ମା’ଙ୍କ ମନ୍ଦିରକୁ ଆସିଥିଲେ। ସେଠାରେ ପର୍ବଯାତ୍ରା ଯୋଗଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ସ୍ପର୍ଶ ହୋଇ ଭିତରଛ ମହାପାତ୍ର ବିମଳାଙ୍କୁ ଗ୍ରାମଦେବତୀ ଭାବରେ ପୂଜାର୍ଚ୍ଚନା, ମହାସ୍ନାନ, ମାଜଣା ଓ ପ୍ରସାଦ ଲାଗି କରିବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ଦିଆଯାଇ ଥିଲା। ଶ୍ରୀଦେବୀ(ରୁକ୍ମିଣୀ) ବିମଳାଙ୍କ ପୂଜାର୍ଚ୍ଚନା ସାରି ବାହାରକୁ ଫେରିବା ବାଟରେ ସେଠାରେ ଆଗରୁ ମଦନମୋହନ(ଶ୍ରୀକୃଷ୍ଣ) ଲୁଚି ରହିଥିଲେ ଓ ସେ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ହରଣ କରିଥିଲେ । ରୁକ୍ମିଣୀ ମଦନମୋହନଙ୍କ ସହ ରଥରେ ଆସୁ ଥିବା ସମୟରେ ସରସ୍ୱତୀଙ୍କ ମନ୍ଦିର ଆଗରେ ଶିଶୁପାଳ ବାଧା ଦେବାରୁ ଯୁଦ୍ଧରେ ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କଲେ ଓ ପରେ ତାଙ୍କୁ ରଥରେ ବାନ୍ଧି ଦେଲେ । ଦକ୍ଷିଣ ଘରୁ ବଡ଼ଭାଇ ଶ୍ରୀବଳଭଦ୍ର(ଶ୍ରୀ ବଳରାମ) ଯୁଦ୍ଧକୁ ରଥରେ ବିଜେ ହୋଇ ଆସିଲେ।ହେଲେ ଭଗ୍ଣୀ ରୁକ୍ମିଣୀଙ୍କ ଅନୁରୋଧ ରକ୍ଷା କରି ଶିଶୁପାଳକୁ ବଳଭଦ୍ର ବନ୍ଧନରୁ ମୁକ୍ତ କରି ଦକ୍ଷିଣ ଘରକୁ ଫେରିଥିଲେ। ଏହାପରେ ରୁକ୍ମିଣୀ ଓ ଶ୍ରୀକୃଷ୍ଣଙ୍କୁ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବ ପୂର୍ବକ ଶ୍ରୀଜୀଉମାନଙ୍କୁ ଚନ୍ଦନ ଲାଗି କରାଯାଇଥିଲା। ଭିତରେ ପାଣିପଡ଼ି ଶ୍ରୀମନ୍ଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଯାତଭୋ ସମ୍ପର୍ଣ୍ଣ ହେବାପରେ ଜଳକ୍ରୀଡ଼ାକୁ ଶ୍ରୀଦୋଳଗୋବିନ୍ଦ ବିଜେ କରିଥିଲେ। ଏହିଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଶ୍ରୀମଦନମୋହନ ଓ ଶ୍ରୀଦେବୀ ଜଳକ୍ରୀଡ଼ା ଉତ୍ସବକୁ ବିଜେ ନ ହୋଇ କେବଳ ଶ୍ରୀଦୋଳଗୋବିନ୍ଦ ବିଜେ ହୁଅନ୍ତି । ଜଳକ୍ରୀଡ଼ା ଶେଷ ହେବା ପରେ ଶ୍ରୀମନ୍ଦିରେ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଆଳତି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ଅର୍ଥାତ୍ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଶ୍ରୀମନ୍ଦିର ବିବାହ ମଣ୍ଡପ(ମାଜଣା ମଣ୍ଡପ) ଖଟକୁ ବିଜେ ହୋଇ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ଧୂପ ପରେ ଶ୍ରୀମନ୍ଦିରର ବିବାହ ମଣ୍ଡପରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା।ବନ୍ଦାପନା ଓ ଚାମର ଆଲଟ କରାଯିବା ପରେ ପ୍ରଭୁ ଓ ଦେବୀଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଲାଗି ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥିଲା । ପତି ମହାପାତ୍ର, ପୂଜା ପଣ୍ଡା, ମୁଦିରସ୍ତ ଓ ଭିତରଛ ମହାପାତ୍ର ସେବାୟତମାନେ ବିବାହ ସାମଗ୍ରୀମାନ ଗ୍ରହଣ କରି ସଂକଳ୍ପ ବାକ୍ୟ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ବିବାହ କାର୍ଯ୍ୟ ଶେ ପରେ ବିବାହ ମଣ୍ଡପରେ । ବନ୍ଦାପନା କରାଯାଇ ନବଦମ୍ପତି ଉଭୟଙ୍କୁ ଭିତରକୁ ରତ୍ନ ସିଂହାସନକୁ ବିଜେ କରାଯାଇ ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ପାଳିତ ହୋଇଥିଲା।