ଗାଁ ଆମ୍ବ ପସରା ଉଦଘାଟିତ

ବରଗଡ: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚାଲିଥିବା ବିକାଶଭିତ୍ତିକ ପ୍ରକଳ୍ପ ବୁଲି ଦେଖିବା ସହିତ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ।

ଏହି ଅବସରରେ ଶ୍ରୀ ତ୍ରିପାଠୀ ପ୍ରଥମେ ବରଗଡ଼ ବ୍ଲକ ଅଫିସ ସମ୍ମୁଖରେ ଓରମାସ,ମିଶନ ଶକ୍ତି,ଉଦ୍ୟାନ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା “ଗାଁ ଆମ୍ବ ପସରା” ବଜାର କୁ ଉଦଘାଟନ କରିଥିଲେ । ଏହା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ବଜାର କୁ ଜିଲ୍ଲାର କୋଣ ଅନୁକୋଣରୁ ଆମ୍ବଚାଷୀ,ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ସଦସ୍ୟ ମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କିଶମ ଯଥା-ଦଶେରୀ,ହେମସାଗର,ଲେଙ୍ଗଡା,ଆମ୍ୱ୍ରପଲ୍ଲୀ,ସୁନ୍ଦରୀ,ଅଲ୍ପାନୋସ,ମଲ୍ଲିକା ଏବଂ ଦେଶୀ ଆମ୍ବ ଆଣି ବିକ୍ରୟ କରୁଛନ୍ତି।ଏହି ଆମ୍ବ ପସରାରେ ମହମହ ହୋଇ ଚତୁର୍ଦିଗ ମହକି ଯାଉଛି।ଆମ୍ବଚାଷୀମାନେ ବିକ୍ରୟ କରି ତାଙ୍କର ପ୍ରକୃତ ପ୍ରାପ୍ୟ ପାଇପାରିବା ସଙ୍ଗେସଙ୍ଗେ ଖାଉଟି ମାନେ ଗୋଟିଏ ସ୍ଥାନରେ ବିଭିନ୍ନ କିଶମର ସୁସ୍ୱାଦୁ ଆମ୍ବ ଉଚିତ ମୂଲ୍ୟରେ ପାଇପାରିବେ ବୋଲି ଶ୍ରୀ ତ୍ରିପାଠୀ ଉଦଘାଟନ ସମୟରେ ମତବ୍ୟକ୍ତ କରିଥିଲେ।ଉଦଘାଟନ ବେଳେ ଜିଲ୍ଲାପାଳ ମୋନିଷା ବାନାର୍ଜୀ,ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ମିଶ୍ର,ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଗତିକୃଷ୍ଣ ମିଶ୍ର,ଉପଦେଷ୍ଟା ନାରାୟଣ ସାହୁ ,ରାଜ ଗୋପାଳ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.