ରେସଲରଙ୍କ ସମର୍ଥନରେ କପିଳ ଦେବଙ୍କ ୧୯୮୩ ବିଶ୍ୱକପ୍ ବିଜେତା ଦଳ, କୁସ୍ତିଯୋଦ୍ଧାଙ୍କ ସହ ଦୁର୍ବ୍ୟବହାର ନେଇ ଚିନ୍ତା ପ୍ରକଟ

ନୂଆଦିଲ୍ଲୀ,: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ୧୯୮୩ ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ୍ ଦଳ । ଗଙ୍ଗାରେ ପଦକ ବିସର୍ଜନ କରିବାକୁ କୁସ୍ତିଯୋଦ୍ଧାଙ୍କ ଯୋଜନାରେ ଚିନ୍ତା ବ୍ୟକ୍ତ କରି ୧୯୮୩ ବିଶ୍ବକପ୍ ଦଳ ସେମାନଙ୍କୁ କୌଣସି ତରବରିଆ ନିଷ୍ପତ୍ତି ନ ନେବାକୁ ଅନୁରୋଧ କରିଛନ୍ତି । ସେମାନଙ୍କ ସମସ୍ୟାର ଶୁଣାଣି ଓ ସମାଧାନ ହେବ ବୋଲି ଏହି କିମ୍ବଦନ୍ତୀ କ୍ରିକେଟ୍ ଦଳର ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି ।

ଏକ ମିଳିତ ବିବୃତ୍ତିରେ, ୧୯୮୩ ବିଶ୍ୱକପ ବିଜେତା ଦଳ କହିଛି ଯେ ଚାମ୍ପିଅନ୍ କୁସ୍ତିଯୋଦ୍ଧାଙ୍କ ସହ ଦୁର୍ବ୍ୟବହାରର ଦୃଶ୍ୟ ଦେଖି ସେମାନେ ବ୍ୟଥିତ ଓ ବିଚଳିତ । କିନ୍ତୁ ଆମେ ଆଶା କରୁଛୁ ଯେ ଆଇନ ଏହାର ବାଟରେ ଯିବ।

ଯୌନ ଉତ୍ପୀଡ଼ନ ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରଜ ଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ଭଳି ଷ୍ଟାର କୁସ୍ତିଯୋଦ୍ଧା ଗତ ମେ ୩୦ରେ ହରିଦ୍ୱାର ଯାଇଥିଲେ । କିନ୍ତୁ କୃଷକ ନେତା ଓ ଲୋକଙ୍କ ଅନୁରୋଧ ପରେ ଗଙ୍ଗାରେ ପଦକ ଭସାଇ ନଥିଲେ।

ବିନା ଅନୁମତିରେ ନୂଆ ସଂସଦ ଭବନ ଅଭିମୁଖେ ଯାଉଥିବାବେଳେ ମେ ୨୮ରେ ଦିଲ୍ଲୀ ପୋଲିସ ଆଇନ ଶୃଙ୍ଖଳା ବିଗାଡିବା ଅଭିଯୋଗରେ ବିକ୍ଷୋଭରତ କୁସ୍ତିଯୋଦ୍ଧାମାନଙ୍କୁ ଗିରଫ କରିଥିଲା। ପୋଲିସ ମଧ୍ୟ ଜନ୍ତର ମନ୍ତରରୁ ସେମାନଙ୍କର ଜିନିଷପତ୍ର ହଟାଇ ଦେଇଥିଲା । କୁସ୍ତିଯୋଦ୍ଧାମାନଙ୍କୁ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆଉ ଅନୁମତି ଦେଇନଥିଲା ପୋଲିସ ।

୧୯୮୩ ବିଶ୍ୱକପ ବିଜେତା ଦଳ ଏକ ବିବୃତ୍ତିରେ କହିଛି ଯେ ଚାମ୍ପିଅନ୍ ରେସଲରଙ୍କ ସହ ଅସଦାଚରଣ ଦୃଶ୍ୟ ଦେଖି ଆମେ ଅତ୍ୟନ୍ତ ବ୍ୟଥିତ । ଆମେ ଗଭୀର ଚିନ୍ତିତ ଯେ ସେମାନେ କଠିନ ପରିଶ୍ରମ କରି ଜିତିଥିବା ପଦକ ଗଙ୍ଗାରେ ଭସାଇବାକୁ ବିଚାର କରୁଛନ୍ତି। ”

“ଏହି ପଦକ ପଛରେ ବହୁ ବର୍ଷର ପ୍ରୟାସ, ତ୍ୟାଗ, ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମ ରହିଛି। ଏହା କେବଳ ସେମାନଙ୍କ ନୁହେଁ ସମଗ୍ର ଦେଶର ଗର୍ବ। ଆମେ ସେମାନଙ୍କୁ ଅନୁରୋଧ କରୁଛୁ ଯେ ଏହି ପ୍ରସଙ୍ଗରେ କୌଣସି ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ ‌‌। ଆମେ ଆଶା କରୁଛୁ ଯେ ସେମାନଙ୍କର ଅଭିଯୋଗ ଶୁଣାଯିବ ଏବଂ ସମାଧାନ ହେବ। ଆଇନ୍ ଏହାର ବାଟରେ ଯିବ ।

କପିଳ ଦେବଙ୍କ ଅଧିନାୟକତ୍ୱରେ ୧୯୮୩ ମସିହାରେ ବିଶ୍ୱକପ ଜିତିଥିବା ଏହି ଦଳର ସଦସ୍ୟମାନେ ହେଲେ ସୁନୀଲ ଗାଭାସ୍କର, ମହିନ୍ଦର ଅମରନାଥ, କେ.ଶ୍ରୀକାନ୍ତ, ସୟଦ କିର୍ମାନି, ଯଶପାଲ ଶର୍ମା, ମଦନ ଲାଲ, ବଲୱିନ୍ଦର ସିଂ ସାନ୍ଧୁ, ସନ୍ଦୀପ ପାଟିଲ, କିର୍ତ୍ତୀ ଆଜାଦ ଏବଂ ରୋଜର ବିନି ।

କପିଳ କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ କିଛି କହିବି ନାହିଁ। ଆମେ ମିଳିତ ଭାବେ ଦେଇଥିବା ବିବୃତ୍ତିକୁ ପୁରା ୧୯୮୩ ଟିମର ସମର୍ଥନ ଅଛି ।

ପୂର୍ବରୁ ଅନିଲ କୁମ୍ବଲେ, ରବିନ୍ ଉଥାପ୍ପା ଏବଂ ଇର୍ଫାନ୍ ପଠାନଙ୍କ ପରି ପୂର୍ବତନ କ୍ରିକେଟରମାନେ ମଧ୍ୟ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରିଥିଲେ। ତେବେ ସକ୍ରିୟ କ୍ରିକେଟରମାନଙ୍କ ମଧ୍ୟରେ କେହି ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି।

ଜାଭେଲିନ୍ ଥ୍ରୋରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପ୍ରଥମ ପଦକ ଜିତିଥିବା ସୁଟର ଅଭିନବ ବିନ୍ଦ୍ରା ମଧ୍ୟ ନ୍ୟାୟ ପାଇଁ କୁସ୍ତିଯୋଦ୍ଧାମାନେ ରାସ୍ତାକୁ ଓହ୍ଲାଇ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

Comments are closed.