ଦୀର୍ଘ ୫୦ ଘଣ୍ଟାର ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ବାହାନଗା ଦେଇ ଗଡିଲା ଟ୍ରେନ

ବାଲେଶ୍ଵର – ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟର ଅକ୍ଲାନ୍ତ ପୁନରୁଦ୍ଧାର କାର୍ଯ୍ୟ ପରେ ଶେଷରେ ବାହାନଗା ଦେଇ ଗଡ଼ିଲା ଟ୍ରେନ୍। ଅପ୍ ଓ ଡାଉନ୍ ଲାଇନରେ କିଛି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ମାଲବାହୀ ଟ୍ରେନ ସହ କିଛି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିଥିବା ସୂଚନା ମିଳିଛି । କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଉଛି।

ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ସାରିଥିବାରୁ ରେଳବାହୀ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ବାହାନଗାରେ ଭୟଙ୍କର ଦୁର୍ଘଟଣା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ କରାଯାଇଥିଲା। ଏଥିରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ ।
ସପ୍ରଥମେ କ୍ଷତିଗ୍ରସ୍ତ ୨୧ଟି ବଗି ଟ୍ରାକ୍‌ରୁ ହଟାଯାଇଥିଲା । ଭାଙ୍ଗି ଯାଇଥିବା ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ହଟାଯାଇ ନୂଆ ଖୁଣ୍ଟି ଲଗାଯାଇଥିଲା। ପାଖାପାଖି ୧ କିଲୋମିଟର ଟ୍ରାକ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଟ୍ରାକ୍ ପଡ଼ିଥିଲା।

Comments are closed.