ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର – ଗତ ଦୁଇ ତାରିଖରେ ବାଲେଶ୍ବରର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ତରଫରୁ କରାଯାଉଥିବା ଉଦ୍ଧାର ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ , ଆଜି ସଂଧ୍ୟା ସୁଦ୍ଧା ଏହି ଦୁର୍ଘଟଣାରେ ୧୭୬ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ସେଥିମଧ୍ୟରୁ ପୂର୍ବରୁ ବାଲେଶ୍ବରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ବର ଆସିଥିବା ୧୯୩ ମୃତଦେହଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୯୧ଟିର ଚିହ୍ନଟ କରାଯାଇଥିଲା । ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟ ପାଇଁ ଆସୁଛନ୍ତି ଏବଂ ଏହି ପ୍ରକ୍ରିୟା ଚାଲୁରହିଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ , ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି ନେଇ ଓଡିଶାରେ ପହଞ୍ଚୁଛନ୍ତି । ଏଠାରେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ , ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତଦେହ ଚିହ୍ନଟ ପରେ ସେସବୁକୁ ଓଡିଶା ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ପରେ ମୃତ୍ୟୁ ପ୍ରମାଣ ପତ୍ର ଯଥାଶୀଘ୍ର ସେମାନଙ୍କ ପରିବାରଙ୍କୁ ପ୍ରଦାନ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିବେ । ଅନଲାଇନ୍ ଏବଂ ଆବଶ୍ୟକ ସ୍ଥଳେ ସ୍ପିଡପୋଷ୍ଟ ଜରିଆରେ ସେମାନଙ୍କ ପରିଜନମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ପଠାଇ ଦିଆଯିବ । ମୃତଦେହ ସବୁର ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍କ ଟେଲିଫୋନ୍‌ ନଂ- ୧୮୦୦୩୪୫୦୦୬୧ ଓ ନଂ – ୧୯୨୯ ଜାରି କରାଯାଇଥିଲା ଓ ଏହା କାର୍ଯ୍ୟକାରୀ ରହିଛି । ଏହି ନମ୍ବରକୁ ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ବ୍ୟବହାର କରି ଆହତ ବା ମୃତକଙ୍କ ସଂପର୍କରେ ଅନୁସନ୍ଧାନ କରିପାରିବେ । ସେହିପରି ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନୋଟି ୱେବସାଇଟ www.osdma.org , www.srcodisha.nic.in ଏବଂ www.bmc.gov.in ଜାରି କରାଯାଇଛି । ଏହି ସବୁ ଟୋଲ୍ ଫ୍ରି ନମ୍ବର ଏବଂ ୱେବସାଇଟର ବହୁଳ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଓ ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବିଭିନ୍ନ ସ୍ଥାନରୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଆସୁଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହାୟତା କରିବା ପାଇଁ ରେଳଷ୍ଟେସନ , ବସଷ୍ଟାଣ୍ଡ ଏବଂ ବିମାନବନ୍ଦରରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସଜାଗ ରହିଛନ୍ତି । ସଂପର୍କୀୟମାନେ ପହଞ୍ଚିବା ପରେ ସେମାନଙ୍କୁ ମୃତଦେହ ରହିଥିବା ବିଭିନ୍ନ ଡାକ୍ତରଖାନାକୁ ନେଇ ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି । ସବୁଠୁ ଅଧିକ ମୃତଦେହ ରହିଥିବା ଏମ୍ସ ହସ୍ପିଟାଲ ଠାରେ ବ୍ୟବସ୍ଥିତ ଢଙ୍ଗରେ ଏକ ବଡ ଏଲ୍‌ଇଡି ସ୍କ୍ରିନ୍ ଲଗାଯାଇ ମୃତକଙ୍କ ଫଟୋ ପ୍ରଦର୍ଶନ କରାଯାଉଛି , ସେଥିପାଇଁ ସମସ୍ତଙ୍କୁ ମୃତଦେହ ସଂରକ୍ଷଣ ଗୃହକୁ ଯିବାକୁ ଆବଶ୍ୟକ ପଡୁନାହିଁ । ସେଠାରେ ଅଭିଜ୍ଞ ଅଧିକାରୀ ଓ ପୋଲିସ୍ ଷ୍ଟାଫମାନେ ଉପସ୍ଥିତ ରହି ମୃତଦେହ ଚିହ୍ନଟକରଣ ଓ ହସ୍ତାନ୍ତର ବ୍ୟବସ୍ଥାକୁ ସୁଗମ କରୁଛନ୍ତି ।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ , ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତ୍ଯେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି । ଚିକିତ୍ସିତ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ହେଉ କିମ୍ବା ମୃତଦେହ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ହେଉ , ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ବାଲେଶ୍ବର , ଭଦ୍ରକ , ସ୍ଥାନୀୟ ଏବଂ ଓଡିଶାର ଜନସାଧାରଣ ଯେପରି ଆଗେଇ ଆସିଛନ୍ତି , ଆମର ବିଶ୍ବାସ ଓଡିଶାରେ ଚିକିତ୍ସା ପାଇଁ କେବେ ରକ୍ତର ଅଭାବ ରହିବ ନାହିଁ । ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ରାଜ୍ୟର ଜନସାଧାରଣଙ୍କ ସହଯୋଗ ଆମକୁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି । ଆଗାମୀ ଦିନରେ ଆମର ବିପର୍ଯ୍ୟୟ ପରିଚାଳନା ଭିଭିଭୂମି , ଦକ୍ଷତାର ବିକାଶ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ଵୟକୁ ଆହୁରି ଅଧିକ ସୁଦୃଢ କରିବାକୁ ଆମର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଦୁର୍ଘଟଣା ଘଟିବା ପରେ ପରେ ବାହାନଗାଠାରେ ପହଞ୍ଚି ସେଠାରେ ବିଭିନ୍ନ କାର୍ଯ୍ୟକୁ ତଦାରଖ ଓ ତ୍ବରାନ୍ସତି କରିଥିବା କରିଥିବା ସ୍ବତନ୍ତ୍ର ରିଲିଫ କମିଶନର ତଥା ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ , ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି , ତାହା ଆମପାଇଁ ସବୁଠାରୁ ଦୁଃଖଦ ବିଷୟ । କିନ୍ତୁ ଏଥିସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ , ଅଗ୍ନିଶମ ବାହିନୀ , ଓଡ୍ରାଫ୍ ଟିମ୍ , ଆର୍ .ପି . ଏଫ୍ ଏବଂ ଏନଡିଆରଏଫ ର ତ୍ବରିତ ଓ ସମ୍ମିଳିତ ଉଦ୍ୟମରେ ଯେପରି ଭାବେ ପାଖାପାଖୁ ୧୨୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଜୀବନ ରକ୍ଷା ସମ୍ଭବ ହୋଇପାରିଲା ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ ପ୍ରଥମେ ଅନ୍ଧାର ରହିଥିବା ସତ୍ତ୍ବେ ସ୍ଥାନୀୟ ଜନସାଧାରଣ ଯେପରି ସ୍ବତଃସ୍ଫୁର୍ତ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ , ଏଥିପାଇଁ ସେମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ । ସେହିପରି ଦୁର୍ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟରେ ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିଥିବା ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ , ରାଜ୍ୟ ସରକାରଙ୍କ ଦ୍ବାରା ଏଭଳି ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ଯୋଗୁଁ ବହୁ ମୁଲ୍ୟବାନ ଜୀବନ ରକ୍ଷା ଯାଇପାରିଥିଲା । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା , ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ପୂର୍ବରୁ ରହିଥିବା ପ୍ରସ୍ତୁତି ଓ ସରଞ୍ଜାମର ବ୍ୟବହାର ଦ୍ବାରା ଆମେ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବା ପାଇଁ ସକ୍ଷମ ହୋଇପାରିଲୁ । ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ସୋର , ଭଦ୍ରକ ଓ ବାଲେଶ୍ବର ଆଦି ଡାକ୍ତର ଖାନା ଗୁଡିକରେ ଡାକ୍ତର , ସ୍ବାସ୍ଥ୍ୟକର୍ମୀ ଓ ଅଧ୍ଵକ ମେଡିସିନ୍ ଆଗୁଆ ପ୍ରସ୍ତୁତି ରଖୁବା ଦ୍ବାରା ଆହତମାନେ ଡାକ୍ତରଖାନରେ ପହଁଚିବା କ୍ଷଣି ଆମେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଆରମ୍ଭ କରିପାରିଲୁ । ଆଗାମୀ ଦିନରେ ଆମେ ଆମର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ଆହୁରି ଅଧିକ ସୁଦୃଢ କରିବୁ ବୋଲି ଶର୍ମା କହିଥିଲେ । ପ୍ରକାଶ ଥାଉକି , ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଦୁର୍ଘଟଣା ପରବର୍ତୀ ଚିକିତ୍ସା ଓ ମୃତହେହ ଚିହ୍ନଟକରଣ ଆଦି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ସହିତ ଆବଶ୍ୟକ ସ୍ଥଳେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।

Comments are closed.