ବ୍ରିଜ ଭୂଷଣ ମାମଲାରେ ନୂଆ ମୋଡ଼, ମିଛ ମାମଲା ଦାୟର କରିଥିବା ମାନିଲେ ନାବାଳିକା କୁସ୍ତିଯୋଦ୍ଧାଙ୍କ ବାପା

ନୂଆଦିଲ୍ଲୀ: ନୂଆ ମୋଡ଼ ନେଇଛି ବ୍ରିଜ ଭୂଷଣ ମାମଲା । ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ବାପା ଦାବି କରିଛନ୍ତି ଯେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମିଛ । ତାଙ୍କ ଝିଅର ପରାଜୟରୁ ପ୍ରତିଶୋଧ ପରାୟଣ ହୋଇ କୁସ୍ତି ସଂଘ ସଭାପତିଙ୍କ ବିରୋଧରେ ସେ ମିଛ ମାମଲା ଦାୟର କରିଥିଲେ ।

ନାବାଳିକା କୁସ୍ତିଯୋଦ୍ଧାଙ୍କ ଦାବି ପରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ଦୁର୍ବଳ ହୋଇଯାଇଛି । ଯୌନ ନିର୍ଯାତନା ଅଭିଯୋଗ କରି ଦେଶର ଷ୍ଟାର ରେସଲରମାନେ ଗତ ୬ ମାସ ଧରି ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ଏହାଛଡ଼ା ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ପକ୍ସୋ ଆଇନ ଅନୁଯାୟୀ ତଦନ୍ତ ଚାଲିଥିଲା ।

ସେ ଏବେ କାହିଁକି ତାଙ୍କ ବୟାନ ବଦଳାଉଛନ୍ତି ବୋଲି ପଚରା ଯିବାରୁ ନାବାଳିକା କୁସ୍ତିଯୋଦ୍ଧାଙ୍କ ବାପା କହିଛନ୍ତି କୋର୍ଟ ପରିବର୍ତ୍ତେ ଏବେ ସତ ସାମ୍ନାକୁ ଆସିବା ଭଲ । ଯେହେତୁ ଆଲୋଚନା ଆରମ୍ଭ ହୋଇସାରିଛି, ଗତ ବର୍ଷ ମୋ ଝିଅର ପରାଜୟର ନିରପେକ୍ଷ ତଦନ୍ତ (ଏସୀୟ ଅଣ୍ଡର-୧୭ ଚାମ୍ପିଅନସିପ୍ ଟ୍ରାଏଲ) କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ନିଜ ଭୁଲ୍ ସୁଧାରିବା ମଧ୍ୟ ମୋର କର୍ତ୍ତବ୍ୟ ।

କୁସ୍ତି ସଂଘର ବିଦାୟୀ ସଭାପତି ବ୍ରିଜ ଭୂଷଣ ସିଂହ ଏବଂ ତାଙ୍କ ଝିଅଙ୍କ ମଧ୍ୟରେ ତିକ୍ତତା ନେଇ ମଧ୍ୟ ସେ ବିସ୍ତୃତ ସ୍ପଷ୍ଟୀକରଣ ଦେଇଛନ୍ତି । ଲକ୍ଷ୍ନୌରେ ଗତବର୍ଷ ଅନୁଷ୍ଠିତ ଅଣ୍ଡର -୧୭ ଏସୀୟ ଚାମ୍ପିଅନସିପ୍ ଟ୍ରାଏଲରେ ହାରିଯିବା ପରେ ତାଙ୍କ ଝିଅ ଭାରତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ଏହାପରେ ବ୍ରଜଭୂଷଣ ଓ ତାଙ୍କ ଝିଅ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ରେଫରିଙ୍କ ନିଷ୍ପତ୍ତି ପାଇଁ ସେ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦାୟୀ କରିଥିଲେ । କାରଣ ବ୍ରିଜଭୂଷଣ ସେହି ରେଫରିଙ୍କୁ ନିଯୁକ୍ତ କରିଥିଲେ । ସେ ବହୁତ ରାଗି ଯାଇଥିଲେ । ଫାଇନାଲରେ ରେଫରିଙ୍କ ନିଷ୍ପତ୍ତି ଯୋଗୁଁ ତାଙ୍କ ଝିଅର ବର୍ଷକର ପରିଶ୍ରମ ବ୍ୟର୍ଥ ହୋଇଥିଲା । ତେଣୁ ମୁଁ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲି ବୋଲି ନାବାଳିକା ରେସଲରଙ୍କ ବାପା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରେସଲର ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ ଜୁନ୍ ୫ରେ ରେଳବାଇରେ ଓଏସଡି ଚାକିରିରେ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କୁ ଭେଟି ପ୍ରାୟ ୬ ଘଣ୍ଟା ଧରି ଆଲୋଚନା କରିଥିଲେ । କ୍ରୀଡ଼ାମନ୍ତ୍ରୀ ଠାକୁରଙ୍କ ସହ ଆଲୋଚନା ପରେ କୁସ୍ତିଯୋଦ୍ଧାମାନେ ଜୁନ୍ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

Comments are closed.