ଭୁବନେଶ୍ୱର – ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି ସକାଳ ୧୦ଟାରୁ ରାଜଭବନ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି । ଏଥିଯୋଗୁଁ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି । ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜେଡି ଏଲ୍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏଭଳି ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ । ଯଦି କେନ୍ଦ୍ର ସରକାର ଗ୍ୟାସ ଦର ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜେଡି ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ ପ୍ରତିବାଦ କରିବ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି।
Comments are closed.