ସମ୍ବଲପୁର : ସମ୍ବଲପୁର ସଦର ରେଞ୍ଜରେ ଏକ ପୁରୁଷ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଯୁଯୁମୁରା ବସିଆପଡା ନାଲା ନିକଟରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ବୟସ ୨୦ ବର୍ଷ ହୋଇଥିବା ବେଳେ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେବ ସଦର ରେଞ୍ଜ ଅଞ୍ଚଳରେ ଏକ ପୁରୁଷ ହାତୀ ଅସୁସ୍ଥ ଥିବାରୁ ବନ ବିଭାଗ ତା ଉପରେ ନଜର ରଖିଥିଲା। ହେଲେ ପରେ ଉକ୍ତ ହାତୀଟି ତାର ଦଳ ଠାରୁ ଅଲଗା ହୋଇଯିବାରୁ ତାର ସନ୍ଧାନରେ ରହିଥିଲା ବିଭାଗ। ତେବେ, ଆଜି ଉକ୍ତ ହାତୀଟି ବସିଆପଡାର ଏକ ନାଲା ନିକଟରେ ଅସୁସ୍ଥ ଅବସ୍ଥାରେ ପଡିଥିବା ଦେଖିବା ମାତ୍ରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ତଥାପି ତାକୁ ବଞ୍ଚାଇବା ସମ୍ଭବପର ହୋଇନଥିଲା। ପ୍ରାୟ ଦିନ ସାଢେ ୨ଟାରେ ହାତୀର ମୃତୁୟ ହୋଇଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହାତୀର ମୃତ୍ୟୁ ପରେ ବ୍ୟବଚ୍ଛେଦ କରାଯାଇ ମାଟିରେ ପୋତି ଦିଆଯାଇଛି। ଘଟଣାସ୍ଥଳରେ ଏସିଏଫ ତେଜରାଜ ନାଏକ, ସଦର ରେଞ୍ଜର ହରିଶଙ୍କର ନାୟକ, ପଡ଼ିଆବାହାଳ ରେଞ୍ଜର ପବିତ୍ର ମୋହନ ମାଝୀ, ଟାଉନ ରେଞ୍ଜର ପୃଥ୍ବୀରାଜ ବେହେରା ଏବଂ ଫରେଷ୍ଟର ପ୍ରଶାନ୍ତ ଓରାମ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।
ଯୁଯୁମୁରା ଭିଏସ୍ ଡ.ସ୍ବାଗତ ପଣ୍ଡା, ପଡ଼ିଆବାହାଲ ଏଭିଏସ୍ ପଲ୍ଲବୀରାଣୀ ପଟେଲ୍, ଅବସରପ୍ରାପ୍ତ ସିଡିଭିଓ ଡ.ସଞ୍ଜିବ ମିଶ୍ର ହାତୀର ବ୍ୟବଚ୍ଛେଦ କରିଥିଲେ। ତେବେ, ସଂକ୍ରମଣ ଯୋଗୁଁ ତାର ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି।
Comments are closed.