ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ସାରା ବିଶ୍ୱରେ ପ୍ରସିଦ୍ଧ, ଅତୁଳନୀୟ । ପୁରୀକୁ ଛାଡିଦେଲେ ଭାରତବର୍ଷର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଡମ୍ବର ସହକାରେ ପାଳନ ହୋଇଥାଏ। ଅବଶ୍ୟ ସେଗୁଡ଼ିକର ଇତିହାସ ବେଶୀ ପୁରୁଣା ନୁହେଁ । କେଉଁଠି କେଉଁଠି ରଥଯାତ୍ରାର ଭିନ୍ନ ଭିନ୍ନ ରୀତିନୀତି ମଧ୍ଯ ଦେଖିବାକୁ ମିଳେ ।
ଶ୍ରୀକ୍ଷେତ୍ର ପୁରୀ ପରେ ଭାରତବର୍ଷର ଯେଉଁ ରଥଯାତ୍ରା ଚର୍ଚ୍ଚିତ ହୋଇଥାଏ, ତାହା ହେଲା ଗୁଜରାଟ ଅହମ୍ମଦାବାଦ ରଥଯାତ୍ରା। ୧୮୭୮ ମସିହାରୁ ଅହମ୍ମଦାବାଦର ଜମାଲପୁରରେ ଥିବା ପ୍ରସିଦ୍ଧ ଜଗଦୀଶ ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଆସୁଛି। କିନ୍ତୁ ପୁରୀ ଓ ଅହମ୍ମଦାବାଦ ରଥଯାତ୍ରା ମଧ୍ୟରେ ରହିଛି ଅନେକ ଫରକ ।
ପ୍ରବାଦ ଅଛି ଯେ, ସ୍ଥାନୀୟ ଜଗଦୀଶ (ଜଗନ୍ନାଥ) ମନ୍ଦିରର ମହନ୍ତ ସ୍ବର୍ଗତଃ ଶ୍ରୀ ନରସିଂହଦାସଜୀଙ୍କୁ ରଥଯାତ୍ରା ଆରମ୍ଭ କରିବାକୁ ପ୍ରଭୁ ଜଗନ୍ନାଥ ସ୍ଵପ୍ନାଦେଶ ଦେଇଥିଲେ। ଭଗବାନଙ୍କ ସ୍ଵପ୍ନାଦେଶ ସଂପର୍କରେ ମହନ୍ତ ନରସିଂହଦାସଜୀ ଅନ୍ୟ ଭକ୍ତମାନଙ୍କୁ ଅବଗତ କରିଥିଲେ। ପ୍ରଭୁଙ୍କ ଆଦେଶ ମୁତାବକ ପୁରୀ ଶୈଳୀରେ ରଥଯାତ୍ରା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ରଥଯାତ୍ରା ପାଇଁ ଗୁଜରାଟର ଭରୁଚ ଅଞ୍ଚଳର ଖାଲସ ସଂପ୍ରଦାୟ ତିନି ଦିଅଁଙ୍କ ପାଇଁ ତିନିଟି କାଠ ରଥ ନିର୍ମାଣ କରିଥିଲେ। କହିବାକୁ ଗଲେ ମହନ୍ତ ନରସିଂହଦାସଜୀଙ୍କ ଉଦ୍ୟମରୁ ହିଁ ଅହମ୍ମଦାବାଦର ଜଗଦୀଶ ମନ୍ଦିରରେ ରଥଯାତ୍ରା ଆରମ୍ଭ ହୋଇଥିଲା। ମହନ୍ତ ନରସିଂହଦାସ୍ଜୀ ୧୦୮ ବର୍ଷ ବଞ୍ଚିଥିଲେ।
ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୁରୀ ଭଳି ରଥଯାତ୍ରା ରୀତିନୀତି ପାଳନ କରାଯାଏ ନାହିଁ | ଏଠାକାର ରଥଯାତ୍ରା ନୀତି ଅତି ସରଳ | ଆଷାଢ ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଭୋର୍ ଚାରିଟା ବେଳେ ଅହମ୍ମଦାବାଦ ଜମାଲପୁର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ମଙ୍ଗଳ ଆରତିରୁ ଆରମ୍ଭ ହୁଏ ରଥଯାତ୍ରା ନୀତି । ଆରତି ପରେ ଦିଅଁଙ୍କୁ ଖେଚୁଡ଼ି ଭୋଗ ଆଦି ଲାଗି ହୁଏ । ଏହାପରେ ଆରମ୍ଭ ହୋଇଥାଏ ତିନିଠାକୁରଙ୍କ ପହଣ୍ଡି । ଘଣ୍ଟ ଧ୍ବନି ମଧ୍ୟରେ ପ୍ରଥମେ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇ ରଥରେ ବିଜେ କରାଯାଏ। ତିନିଠାକୁର ରଥ ଉପରେ ବିଜେ କଲା ପରେ ନିମନ୍ତ୍ରିତ ହୋଇ ଆସିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ବିଶିଷ୍ଟ ନେତା ସେବକ ଭାବେ ତିନିରଥରେ ଛେରା ପହଁରା କରନ୍ତି । ଏହାପରେ ବିରାଟ ପଟୁଆର ଓ ଶୋଭାଯାତ୍ରାରେ ଆରମ୍ଭ ହୋଇଥାଏ ରଥଟଣା କାର୍ଯ୍ୟକ୍ରମ। ପୂର୍ବାହ୍ନରେ ଆରମ୍ଭ ହୋଇଯାଏ ତିନି ଠାକୁରଙ୍କ ରଥଟଣା ।
ପରମ୍ପରା କ୍ରମେ ଭରୁଚ ଅଞ୍ଚଳର ଖାଲସ ସଂପ୍ରଦାୟର ଲୋକେ ରଥଟଣା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ଖାଲସ ସଂପ୍ରଦାୟର ଚାରି ଶହ ଲୋକ ରଥଟଣା ପାଇଁ ଅହମ୍ମଦାବାଦ ଆସିଥାନ୍ତି ।ରଥଟଣାର ମୁଖ୍ୟ ଆକର୍ଷଣ ସାଜିଥାନ୍ତି କିଛି ସୁସଜ୍ଜିତ ହାତୀ । ପ୍ରକୃତରେ ଏହି ହାତୀମାନେ ହିଁ ରଥଟଣାର ମୁଖ୍ୟ ଆକର୍ଷଣ ସାଜିଥାନ୍ତି । ରଥଙ୍କ ଆଗେ ଆଗେ ହାତୀମାନେ ଧାଡି ବାନ୍ଧି ଚାଲନ୍ତି । କିଛି ହାତୀ ସ୍ଥାନୀୟ ଅଞ୍ଚଳର ହୋଇଥିଲା ବେଳେ ଆଉ କିଛି ରଥଯାତ୍ରା ପାଇଁ ଏଠାକୁ ଆସିଥାନ୍ତି ।ରଥଯାତ୍ରାରେ ଦେଶର ବିଭିନ୍ନ ଅଞ୍ଚଳରୁ ଏଠାରେ ସାଧୁସନ୍ଥଙ୍କ ସମାଗମ ହୁଏ । ରଥଯାତ୍ରାର ସପ୍ତାହେ ପୂର୍ବରୁ ଏହି ସାଧୁସନ୍ଥମାନେ ଅହମ୍ମଦାବାଦରେ ଭିଡ଼ ଜମାନ୍ତି । ସାଧୁସନ୍ଥଙ୍କ ସହ କିଛି ସଖୀବାବା ସାଧୁ ବି ରଥଯାତ୍ରାକୁ ଆସିଥାନ୍ତି। ସଖୀବାବାମାନେ ନିଜକୁ ରାଧା ବେଶରେ ସଜ୍ଜାଇ ରଥଟଣା ବେଳେ ମହାଆନନ୍ଦରେ ନାଚ କରନ୍ତି । ହାତୀ, ସାଧୁସନ୍ଥ ଓ ସଖୀବାବାଙ୍କ ସମେତ ଅହମ୍ମଦାବାଦର ବିଭିନ୍ନ ଆଖଡା ମଧ୍ୟ ଠାକୁରଙ୍କ ରଥଯାତ୍ରାରେ ଭାଗ ନେଇ କଳାକୌଶଳ ଓ ସାହସିକତା ପ୍ରଦର୍ଶନ କରନ୍ତି । ଅହମ୍ମଦାବାଦର ରଥଯାତ୍ରାର ଆଉ ଏକ ଆକର୍ଷଣ ହେଲା ସୁସଜ୍ଜିତ ଟ୍ରକ୍ ଶୋଭାଯାତ୍ରା । ବିଭିନ୍ନ ସାମାଜିକ ସଚେତନତା ପ୍ରସଙ୍ଗ ଓ ଧାର୍ମିକ ବିଷୟବସ୍ତୁ ଉପରେ ଟ୍ରକ୍ଗୁଡିକ ସଜ୍ଜିତ କରାଯାଇଥାଏ । ଦୁଇ ତିନିଟି ଭଜନ ମଣ୍ତଳୀ ମଧ୍ୟ ରଥଯାତ୍ରାରେ ଭାଗ ନେଇ ରଥଟଣା ବେଳେ ଭଜନ ଓ ଭକ୍ତି ସଂଗୀତ ପରିବେଷଣ କରନ୍ତି ।
ଏଭଳି ବିରାଟ, ଭବ୍ଯ ଓ ଆକର୍ଷଣୀୟ ଶୋଭାଯାତ୍ରା ମଧ୍ୟରେ ଜମାଲପୁର ସ୍ଥିତ ମୁଖ୍ଯ ମନ୍ଦିରରୁ ତିନି ଠାକୁରଙ୍କ ତିନିରଥ ୧୪ କିଲୋମିଟର ରାସ୍ତା ଅତିକ୍ରମ କରି ସାରସପୁରର ମନ୍ଦିରକୁ ଯାଆନ୍ତି । ରଥଟଣା ବେଳେ ଅହମ୍ମଦାବାଦର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମାନଙ୍କରେ ତିନିରଥଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଏ। ଅହମ୍ମଦାବାଦ ରଥଯାତ୍ରାରେ ତିନିଠାକୁରଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ୮ ଦିନ କାଳ ରହିବା ପରମ୍ପରା ନାହିଁ | ସାରସପୁର ମନ୍ଦିରରେ ତିନିଠାକୂର ପ୍ରାୟ ଘଣ୍ଟାଏ ବିତାଇବା ପରେ ସେହି ଦିନ ହିଁ ମୁଖ୍ୟ ମନ୍ଦିରକୁ ବାହୁଡି ଆସନ୍ତି। ଏଥର ଅହମ୍ମଦାବାଦ ରଥଯାତ୍ରା ୧୪୬ ବର୍ଷରେ ପଦାର୍ପଣ କରିଛି । ମହାପ୍ରଭୁଙ୍କୁ ଇଚ୍ଛାରୁ ଅହମ୍ମଦାବାଦରେ ରଥଯାତ୍ରା ଭିନ୍ନଶୈଳୀରେ ପାଳନ ହୋଇଆସୁଛି। ଏହା ହିଁ ତ ଜଗନ୍ନାଥ ସଂସ୍କୃତିର ବୈଚିତ୍ର୍ୟ ।