କାର୍, ଅଟୋ, ବାଇକ ସିରିଜ୍ ଦୁର୍ଘଟଣା, ୧୦ ଆହତ | News Room Odisha

କାର୍, ଅଟୋ, ବାଇକ ସିରିଜ୍ ଦୁର୍ଘଟଣା, ୧୦ ଆହତ

ବସ୍ତା – ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧି ଛକ-ବାଲିଆପାଳ ରାସ୍ତା ପେଜଗଳା ପୋଲ ନିକଟରେ ଆଜି ସକାଳେ ସିରିଜ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ କାର କଟକରୁ ଜଣେ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ ଦ୍ରୁତଗତିରେ ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପେଜଗଳା ପୋଲକୁ ଧକ୍କା ଦେଇଥିଲା। ଏଣେ ଅପରପାର୍ଶ୍ବରୁ ବାଲିଆପାଳରୁ ବସ୍ତା ଅଭିମୁଖେ ଚାରିଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଅଟୋ କାରକୁ ଧକ୍କା ହେବାକୁ ଥିବାବେଳେ ଅଟୋ ଡ୍ରାଇଭର କୌଶଳକ୍ରମେ ବ୍ରେକ ମାରିବା ସମେତ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଯାଇଥିଲା।

ସମାନ ଭାବେ ଏହି ସ୍ଥାନରେ ଦରଡ଼ାରୁ ବସ୍ତା ଅଭିମୁଖେ ଆସୁଥିବା ଏକ ବାଇକ୍ ଦୁର୍ଘଟଣା ଘଟାଇଥିବା କାରକୁ ଧକ୍କା ଦେଇଥିଲା। ଏହି ସିରିଜ୍ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ବସ୍ତା ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ଗୁରୁତର ତିନିଜଣଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।