ସ୍ବତନ୍ତ୍ର କୋଲ୍ କରିଡର ଦାବି ଉଠାଇ ବିଜେପି ସାଂସଦଙ୍କୁ ଘେରିଲା ଯୁବ ବିଜେଡି

ସମ୍ବଲପୁର: ସ୍ବତନ୍ତ୍ର କୋଲ୍ କରିଡର ଦାବିରେ ପଶ୍ଚିମ ଓଡ଼ିଶାର ବିଜେପି ସାଂସଦଙ୍କୁ ଘେରିଛି ସମ୍ବଲପୁର ଯୁବ ବିଜେଡି। ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାରେ ଥିବା କୋଇଲା ଖଣିରୁ ହଜାର ହଜାର ସଂଖ୍ୟାରେ କୋଇଲା ବୋଝେଇ ଟ୍ରକ ରାଜ୍ଯ ଓ ଜାତୀୟ ରାଜପଥରେ ପରିବହନ କରାଯାଉଛି। ଫଳରେ ସାଧାରଣ ପଥଚାରୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି।

କେନ୍ଦ୍ର ସରକାର ଓଡ଼ିଶାର ଖଣିରୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ କରୁଥିଲେ ହେଁ ସ୍ବତନ୍ତ୍ର କୋଲ କରିଡର ପାଇଁ ଆଦୌ ଆନ୍ତରିକତା ଦେଖାଉନାହାନ୍ତି। ଏପରିକି ସମଗ୍ର ପଶ୍ଚିମ ଓଡିଶାର ୫ ସାଂସଦ ବିଜେପିର ହୋଇଥିଲେ ହେଁ ନିଜ କେନ୍ଦ୍ର ସରକାର ଆଗରେ ଏନେଇ ପଦୁଟିଏ ମୁହଁ ଖୋଲୁନଥିବା ବିଜେଡି ଅଭିଯୋଗ କରିଛି। ଆଉ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଯୁବ ବିଜେଡ଼ି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କୋଇଲା ପରିବହନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି। ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଏହି ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ନେତୃତ୍ୱରେ ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲିପ ଦୂରିଆ, ଜିଲ୍ଲା ଆଇ.ଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ଯୁବ ସମ୍ପାଦକ ନିଶିକାନ୍ତ ବିଶ୍ବାଳ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉଦ୍ଧବ ବାରିକ, ନାରୀ ନେତ୍ରୀ ଲିଲିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.