ଅସହ୍ୟ ହେଲାଣି ଛତିଶଗଡର ମନମୁଖୀ, ହୀରାକୁଦକୁ ଦେଉନି ତଥ୍ୟ  | News Room Odisha

ଅସହ୍ୟ ହେଲାଣି ଛତିଶଗଡର ମନମୁଖୀ, ହୀରାକୁଦକୁ ଦେଉନି ତଥ୍ୟ 

ସମ୍ବଲପୁର : ବଢି ଚାଲିଛି ଛତିଶଗଡର ଦାଦାଗିରି। ୫ ବର୍ଷ ହେଲା ବନ୍ୟା ପରିଚାଳନା ସଂପର୍କିତ ଉପରମୁଣ୍ଡର କୌଣସି ତଥ୍ୟ ଦେଉନାହିଁ। ଏପଟେ ସମନ୍ବୟ ବୈଠକକୁ ବି ଆସୁନାହିଁ। ଫଳରେ ନିଜସ୍ବ ଉଦ୍ୟମରେ ତଥ୍ୟ ସଂଗ୍ରହ କରି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ବନ୍ୟା ପରିଚାଳନା କରୁଛନ୍ତି। ଏନେଇ ଛତିଶଗଡ ଉପରେ ସିଧା ଆରୋପ କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।

ପ୍ରଥରେ ମହାନଦୀକୁ ଏକଛାଟିଆ ଅଧିକାର କରି ଆସିଥିବା ଛତିଶଗଡର ଦାଦାଗିରି ଦିନକୁ ଦିନ ଅସହ୍ୟ ହେଲାଣି। ଅଧା ଓଡିଶାର ଧନଜୀବନ ସହିତ ଜଡିତ ହୀରାକୁଦର ବନ୍ୟା ପରିଚାଳନାକୁ ବି ଛତିଶଗଡ ଅଣଦେଖା କରି ଆସୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ ବେଆଇନ ଭାବେ ବହୁ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କରିବା ପରେ ବର୍ତ୍ତମାନ ଓଡିଶାର ବନ୍ୟା ପରିଚାଳନାରେ ବି ବାଧା ସୃଷ୍ଟି କରିବାରେ ଲାଗିଛି। ଓଡିଶାର ବନ୍ୟା ନିୟନ୍ତ୍ରଣ ସଂପୂର୍ଣ ଭାବେ ଛତିଶଗଡ ଉପରେ ନିର୍ଭରଶୀଳ। କାରଣ, ମହାନଦୀର ୮୫ ଭାଗ ଅବବାହିକା ଛତିଶଗଡରେ ରହିଛି। ଏଥିପାଇଁ ଉଭୟ ରାଜ୍ୟରେ ସମନ୍ବୟ ନିହାତି ଜରୁରୀ।

ତେବେ, ମହାନଦୀ ଏବଂ ଶାଖା ନଦୀରେ ମନଇଚ୍ଛା ବ୍ୟାରେଜ୍ ଓ ବନ୍ଧ ନିର୍ମାଣକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରଠାରୁ ବିବାଦ ଘନେଇବାରେ ଲାଗିଛି। ବର୍ତ୍ତମାନ ଏହି ବିବାଦ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଟ୍ରିବ୍ୟୁନାଲରେ ବିଚାର ଚାଲିଛି। ଏପରିକି ଗତ ମାର୍ଚ୍ଚ ଏବଂ ଅପ୍ରେଲ ମାସରେ ଟ୍ରିବ୍ୟୁନାଲ ଟିମ ଉଭୟ ରାଜ୍ୟକୁ ୩ଟି ପର୍ଯ୍ଯାୟରେ ଗସ୍ତ କରି ଅନୁଧ୍ୟାନ ସାରି ଫେରିଛନ୍ତି। ଏଭଳି ସ୍ଥିତିରେ ଟ୍ରିବୁନାଲ ଟିମ ଗସ୍ତ ବେଳେ ବି ଛତିଶଗଡର ଚାଲାକି ଧରା ପଡିଥିଲା। ଅଣ ମୌସୁମୀ ଅବଧି ଆରମ୍ଭ ହେବା ପରଠାରୁ କଲମା ସମେତ ସମସ୍ତ ବ୍ୟାରେଜର ପାଣି ଅଟକାଇ ରଖିଥିବା ଛତିଶଗଡ କଲମାର ଏକକାଳୀନ ୨୦ଟି ପର୍ଯ୍ୟନ୍ତ ଗେଟ ଖୋଲି ପାଣି ଛାଡିବାରେ ଲାଗିଥିଲା। ଆଉ ଟ୍ରିବ୍ୟୁନାଲ ଟିମ ଯିବା ପରେ ପୁଣି ଗେଟ ବନ୍ଦ କରି ଦେଇଥିଲା।

ଏବେ ବନ୍ୟା ଋତୁ ଆସିବା ପରେ ସମସ୍ତ ଗେଟ ଖୋଲି ଦେଇଛି। ହେଲେ ସେଠାରେ ନିର୍ମିତ ସମସ୍ତ ବନ୍ଧ ଓ ବ୍ୟାରେଜର ବନ୍ୟା ପରିଚାଳନା ସଂପର୍କିତ ତଥ୍ୟ ଓଡିଶାକୁ ଦେଉନାହିଁ। ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ଗତ ୨୦୧୯ ପରଠାରୁ ଛତିଶଗଡ ଆଦୌ ତଥ୍ୟ ଦେଉନାହିଁ। ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ସମେତ ନିଜସ୍ବ ଉଦ୍ୟମରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ସେଠାରୁ ତଥ୍ୟ ହାସଲ କରାଯାଉଛି ଆଉ ସେହି ଅନୁଯାୟୀ ଜଳ ପରିଚାଳନା କରିବାକୁ ପଡୁଛି ବୋଲି ଶ୍ରୀ ସାହୁ ଗଣମାଧ୍ୟମରେ ଖୋଲାଖୋଲି ଅଭିଯୋଗ କରିଛନ୍ତି।

ଗୁରୁତ୍ବପୂର୍ଣ କଥା ହେଉଛି ଯେ, କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ପକ୍ଷରୁ ଜାତୀୟ ବନ୍ଧ ସୁରକ୍ଷା ପରିଷଦ (ଏନସିଡିଏସ) ଦ୍ବାରା ପ୍ରତିବର୍ଷ ମହାନଦୀ ବେସିନରେ ଥିବା ସମସ୍ତ ରାଜ୍ୟ ମଧ୍ୟରେ ସମନ୍ବୟ ବୈଠକ ହେବା କଥା। ହେଲେ ୪ ବର୍ଷ ହେଲା ଓଡିଶାର ବାରମ୍ବାର ଚିଠି ତଥା ଅନୁରୋଧ ପରେ ବି ଛତିଶଗଡ ଏହି ବୈଠକକୁ ଆସୁନାହିଁ। ଏପରିକି ଗତ ୨୦୨୦ମସିହାରୁ ଏହି ବୈଠକ ଛତିଶଗଡ ପାଇଁ ବନ୍ଦ ଥିବା ବେଳେ ଏବର୍ଷ ମଧ୍ୟ ବୈଠକ ବାତିଲ ହେବା ଏକପ୍ରକାର ଥୟ ହେଲାଣି। ତଥାପି କେନ୍ଦ୍ର ସରକାର ମଧ୍ୟ ଛତିଶଗଡକୁ ଏନେଇ କୌଣତି ତାଗିଦ କରୁନଥିବାରୁ ତାହାର ଦାଦାଗିରି ବଢିବାରେ ଲାଗିଛି। ଏହାକୁ ନେଇ ଛତିଶଗଡ ବିରୋଧରେ ସାରା ଓଡିଶାରେ ଅସନ୍ତୋଷ ତେଜିବାରେ ଲାଗିଛି।