ବିନିକା ଅଞ୍ଚଳରେ ବର୍ଷା ବିତ୍ପାତ୍: କୋଲପଡ଼ାର ୨୦ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ସୁବର୍ଣ୍ଣପୁର: ଗତକାଲି ଠାରୁ ଅନବରତ ବର୍ଷା ଲାଗିରହୁଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ସହରର ବର୍ଷା ଜଳ ନିଷ୍କାସନ ହୋଇ ନପାରି ବିଭିନ୍ନ ଘର ଦ୍ଵାର ଏପରିକି ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ରାସ୍ତା ଘାଟ ଆଦି ସ୍ଥାନ ମାନଙ୍କରେ ପାଣି ଜମି ରହିଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ବର୍ଷା ସାଂଗକୁ ଚୌକି ଯୋରରେ ନିମିଷକ ମଧ୍ୟରେ ଅଟଲତାକ ପାଣି ପ୍ରବାହିତ ହୋଇ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି।

ପ୍ରସିଦ୍ଧ ଶୈବପୀଠ ଚରଦାକୁ ଯାଇଥିବା ରାସ୍ତାରେ ଥିବା ଚୌକି ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ସେହିପରି ଉଲ୍ଲେ ଛକ ଠାରୁ ଚରଦ ରାସ୍ତା ପାର୍ଶ୍ବରେ ରହୁଥିବା ଚୌକି କୋଲପଡ଼ାକୁ ଚୌକି ଯୋର ପାଣି ମାଡ଼ି ଯିବାରୁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଚୌକି କୋଳପଡାର ଅନେକ ଲୋକଙ୍କ ମାଟିଘର ଭାଙ୍ଗିଯିବା ସହିତ ବହୁ ଆସବାପତ୍ର ନଷ୍ଟ ହୋଇଛି | ଖବରପାଇ ବିନିକା ନଗରପାଳ ସୁବାଶ ଚନ୍ଦ୍ର ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିନିକା ଆରଆଇ ବସନ୍ତ ବରିହା, ଏନଏସି କର୍ମଚାରୀ ଉମାକାନ୍ତ ସିଂ ସମେତ ଷ୍ଟାଫ,ଅଗ୍ନିଶମ କର୍ମଚାରୀ,ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବନ୍ୟା ପାଣିରେ ପ୍ରବାହିତ ୨୦ପରିବାର ର ୬୦ ଜଣଙ୍କୁ ସ୍ଥାନୀୟ କଲେଜ ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରି ରିଲିଫ ବଣ୍ଟନ କରାଯାଉଛି ।

ସେହିପରି ଅନ୍ୟ ପକ୍ଷରେ ବିନିକା ୧୦ନଂ ୱାର୍ଡ କଇରାପାଲିରେ ବର୍ଷା ଜଳ ଜମାଟ ବାନ୍ଧିବା ଓ ଚୌକି ଯୋରର ପ୍ରବାହିତ ପାଣିରେ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି ।

ଆଜି ସକାଳୁ ପ୍ରବଳ ବେଗରେ ପାଣି ମାଡ଼ିବାରୁ ଗ୍ରାମର ଅନତି ଦୂରରେ ରହୁଥିବା ଶ୍ରୀରାମ ଭୁଇ ଓ ସାବିତ୍ରୀ ଭୂଇ ନାମକ ଦୁଇ ଜଣ ବୃଦ୍ଧବୃଦ୍ଧାଙ୍କ ଘର ଚତୁରପର୍ଶ୍ୱରେ ପାଣି ହୋଇଯିବା ସହ ଘର ଭିତରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇଥିଲା। ଜୀବନ ରକ୍ଷା ପାଇଁ ଉଭୟେ ବୃଦ୍ଧ ବୃଦ୍ଧାଙ୍କୁ ସ୍ଵେଚ୍ଛାସେବୀ ମାନେ ୮ଜଣ ଯୁବକଙ୍କୁ ୪ ରୁ ୫ଫୁଟ ବନ୍ୟା ପାଣିରେ ପଶି ଉଭୟ ବୃଦ୍ଧ ବୃଦ୍ଧଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କଇରାପାଲି ଗ୍ରାମ୍ୟ ରାସ୍ତାରେ ୯ଫୁଟ ରୁ ଅଧିକ ପାଣି ପ୍ରବାହିତ ହେଉଥିବା ବେଳେ ଗ୍ରାମର ଚାରିପଟେ ପାଣି ।ଫଳରେ ଚାଷ ଜମି ଗୁଡିକ ସମ୍ପୁର୍ଣ୍ଣ ବୁଡି ଯାଇଥିବାରୁ ଗ୍ରାମ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି।ଗ୍ରାମବାସୀଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ବିଳମ୍ବ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି | ପରେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସ୍ଥାନୀୟ କମ୍ୟୁନିଟି ସେଣ୍ଟର ଓ କ୍ଲବ ଘେରରେ ପ୍ରାୟ ୧୨୦ ଜଣଙ୍କୁ ରଖାଯାଇଛି | ପ୍ରଶାସନ ପକ୍ଷରୁ ସେମାନଙ୍କୁ ରିଲିଫ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ବିନିକା ଏସ୍.ରାମପୁର ମୁଖ୍ୟ ରାସ୍ତାର ବିଶାଳପାଲି ଛକ ନିକଟରେ ଥିବା ଏକ ନାଲ ଉପରେ ୫ଫୁଟ ପାଣି ପ୍ରବାହିତ ହେଉଥିବା ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି ।ବର୍ଷା ଯୋଗୁଁ ବହୁ ଲୋକଙ୍କ ମାଟି ଘର ଭାଙ୍ଗି ଯିବାର ଆଶଙ୍କା ରହିଛି। ଧାନ ଚାଷ ସମେତ ପନିପରିବା ଚାଷ ମଧ୍ୟ କ୍ଷତି ଘଟିଛି । ସେହିପରି ସିଲାଟି ଜୋରରେ ବନ୍ୟା ପାଣି ଆସିଯିବାରୁ ସିଲାଟି ବ୍ରିଜ ଉପରେ ଆଣ୍ଠୁଏ ପାଣି ଯାଉଛି | ଏଥିଯୋଗୁଁ ବିନିକା – ସିଲାଟି ରାସ୍ତା ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି । ଆଗକୁ ଯଦି ବର୍ଷା ଲାଗିରହେ ତେବେ ବହୁ ଧନ ଜୀବନ ଦୁର୍ବିସହ ହେବା ସହିତ ବ୍ୟାପକ କ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି।

Comments are closed.