ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସମେତ ସମସ୍ତ ମଠ ବାଡ଼ିରେ ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ | News Room Odisha

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସମେତ ସମସ୍ତ ମଠ ବାଡ଼ିରେ ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରା।ଶ୍ରୀମନ୍ଦିର ସମେତ ସମସ୍ତ ମଠ ବାଡ଼ିରେ ଝୁଲଣକୁଞ୍ଜ ରେ ଶ୍ରୀରାଧା କୃଷ୍ଣ ଙ୍କ ସମେତ ରାମାନୁଜ ସମ୍ପ୍ରଦାୟ ମଠରେ ଶ୍ରୀ ଶାଳଗ୍ରାମ ଭଗବାନ ଙ୍କ ସହିତ ସୀତାରାମ ବିରାଜମାନ କରି ପ୍ରାବଟ ରାସ କରିବେ।

ଝୁଲଣ ଯାତ୍ରା ହେଉଛି ରାଧାକୃଷ୍ଣଙ୍କ ରାସ ଉତ୍ସବ । ବର୍ଷା କାଳର ରାସରେ ଶ୍ରୀରାଧାକୃଷ୍ଣ ଙ୍କ ସୁଖ ବିଧାନ ପାଇଁ ଦ୍ଵାପର ଯୁଗର ସ୍ମୃତିମନ୍ଥନ କରାଯାଇ ସମସ୍ତ ବ୍ୟବସ୍ଥା କରାଯାଇଥାଏ। ଯମୁନା ତଟରେ ରାସ ସମୟରେ ଗୋପ ଗୋପାଙ୍ଗନା ମାନେ ଯେଭଳି ଆମୋଦରେ ନୃତ୍ୟଗୀତ କରି ଯୁଗଳ ସରକାର ଙ୍କ ଚିତ୍ତ୍ୱ ବିନୋଦନ କରୁଥିଲେ ଠିକ୍ ସେହିପରି ଶ୍ରୀମନ୍ଦିର ସହ ବିଭିନ୍ନ ମଠମନ୍ଦିରରେ ବିଭିନ୍ନ ଝୁଲଣ କୁଞ୍ଜ ପ୍ରସ୍ତୁତ କରାଯାଇ ଏହି ପବିତ୍ର ଉତ୍ସବ ଆୟୋଜନ କରାଯାଇଛି। ଏହାସହ ଦେବ ବିଗ୍ରହଙ୍କ ସମ୍ମୁଖରେ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି ।

ଶ୍ରୀକ୍ଷେତ୍ରରେ ସାତଦିନ ଧରି ଝୁଲଣଯାତ୍ରା ଅନୁଷ୍ଠିତ ହୋଇଥାଏ।ଦଶମୀ ତିଥିରେ ଆରମ୍ଭ ହୋଇଥିବା ବର୍ଷାଋତୁ ର ପ୍ରାବଟ ରାସ ଶ୍ରାବଣ ପୂର୍ଣ୍ଣିମାର ପରଦିନ ଶେଷହୁଏ।କିନ୍ତୁ ଉତ୍ତରପ୍ରଦେଶ ର ବୃନ୍ଦାବନ ଧାମରେ ଏହି ଝୁଲଣପର୍ବ ୧୪ଦିନ ଧରି ଧୁମଧାମରେ ପାଳନ କରାଯାଇଥାଏ ।

“ବାରମାସରେ ତେରଯାତ୍ରା ଶ୍ରୀମନ୍ଦିରରେ ପାଳିତ ହେଉଥିବା ବେଳେ ଝୁଲଣଯାତ୍ରା ବେଶ ସ୍ୱତନ୍ତ୍ର । ଶ୍ରାବଣ ଶୁକ୍ଳଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳିତ ହେବ ଝୁଲଣଯାତ୍ରା । ଏଥିପାଇଁ ବଡ଼ଦେଉଳ ଭିତରବେଢ଼ା ସ୍ଥିତ ମୁକ୍ତିମଣ୍ଡପ ରେ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ଝୁଲଣ କୁଞ୍ଜ। ପଶୁପକ୍ଷୀ ଗଛଲତା ଶୋଭିତ ସୁସଜ୍ଜିତ କୁଞ୍ଜ ଦୋଳିରେ ସଖୀମାନଙ୍କ ଗହଣରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲିବେ ଶ୍ରୀମଦନମୋହନ। ଝୁଲଣଯାତ୍ରା ପାଇଁ ଶ୍ରୀମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ନୀତି । ମଧ୍ୟାହ୍ନ ଧୂପ ପରେ ଭୂଦେବୀ ଓ ଶ୍ରୀଦେବୀ ଦକ୍ଷିଣିଘରକୁ ବିଜେ କରିବା ପରେ ମଦନମୋହନଙ୍କ ସହ ପୁଣି ଆସନ୍ତି ରତ୍ନ ସିଂହାସନକୁ ।ଆରତୀ ଓ ଅନ୍ୟାନ୍ୟ ନୀତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ କୁଞ୍ଜକୁ ବିଜେ କରନ୍ତି ଚଳନ୍ତି ପ୍ରତିମା ।

” ଝୁଲଣରେ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଓ ବିଡ଼ିଆ ମଣୋହି କୋଠଭୋଗ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଭୋଗ ଅର୍ପଣ କରାଯିବାର ବିଧି ରହିଛି । ” ଶ୍ରୀକ୍ଷେତ୍ରର ମଠ ବାଡ଼ିର ଝୁଲଣ ଯାତ୍ରା ବେଶ ଆକର୍ଷଣୀୟ। ସଂନ୍ଧ୍ୟାପରେ ସବୁ ମଠରେ ଜମେ ଶ୍ରଦ୍ଧାଳୁଙ୍କ ଭିଡ଼। ବୈଷ୍ଣବ ଶାସ୍ତ୍ର ଅନୁଯାୟୀ ଦ୍ୱାପର ଯୁଗରେ କାଳିନ୍ଦୀ ବା ଯମୁନା ତଟର ବୃନ୍ଦାବନ, ମଧୁବନ ଓ ନିଧୁବନ ହିଁ ଥିଲା ରାଧାକୃଷ୍ଣଙ୍କ ମିଳନସ୍ଥଳୀ ବର୍ଷାର ଆଗମନରେ ଯମୁନାର ତଟବର୍ତ୍ତୀ ବନଭୁମୀ ପାଲଟିଯାଏ ସୁସଜ୍ଜିତ ପ୍ରଣୟ କୁଞ୍ଜ । ନିଧୁବନର ଏହି ଲତାକୁଞ୍ଜର ଦୋଳିରେ ପ୍ରାବୃଟ ରାସରେ ମିଳିତ ହୁଅନ୍ତି ରସରାଜ ଶ୍ରୀକୃଷ୍ଣ ଓ ରାଇ ବିନୋଦିନୀ।

ସେଇ ପବିତ୍ର ସ୍ମୃତିକୁ ସ୍ମରଣ କରି ଶ୍ରାବଣର ବାରିଧାରା ଭିତରେ ପ୍ରକୃତିର ମନୋରମ କୋଳରେ ପ୍ରତିବର୍ଷ ପାଳିତ ହୋଇଥାଏ ଝୁଲଣ ଯାତ୍ରା ବା ପ୍ରାବୃଟ ରାସ। ଇନ୍ଦ୍ରିୟ ବାସନା କୁ ଚରିତାର୍ଥ କରିବାକୁ ଭଗବାନ ଏ ରାସ ରଚନା କରି ନ ଥିଲେ ବରଂ ଆତ୍ମା ପରମାତ୍ମା ମିଳନରେ ଯେଉଁ ବ୍ରହ୍ମାନନ୍ଦ ସୁଖ ପ୍ରାପ୍ତ ହୋଇଥାଏ ତାହାହିଁ ଦର୍ଶାଇଥିଲେ। ଅଳ୍ପବୁଦ୍ଧି ସମ୍ପର୍ଣ୍ଣ ବ୍ୟକ୍ତି ଏହାକୁ ନିଜର ଲୌକିକ ଭାବରେ ଗ୍ରହଣ କରିବା ବଡ଼ ଦୋଷାବହ ବୋଲି ଶାସ୍ତ୍ରରେ କୁହାଯାଇଛି।