ବେଲଗୁଣ୍ଠା: ବଜ୍ରପାତରେ ୧୦ ଗାଈ ମୃତ | News Room Odisha

ବେଲଗୁଣ୍ଠା: ବଜ୍ରପାତରେ ୧୦ ଗାଈ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ସାରିଆପଲ୍ଲୀ ଗାଁ ନିକଟ ତୋଟାରେ ବଜ୍ରପାତ ଯୋଗୁଁ ଜଣେ ଗାଈଆଳଙ୍କ ୧୦ଟି ଗାଈର ମୃତ୍ୟୁ ଘଟିଛି। ଗୋଟିଏ ବାଛୁରୀ ଗୁରୁତର ହୋଇଛି। ମୃତ ଗାଈଗୁଡିକ ବଡ଼ପଡା ପଞ୍ଚାୟତ ଅନ୍ତର୍ଗତ ସିରିକୋଇ ଗ୍ରାମର ଜୟ ଗୌଡଙ୍କର ଅଟେ। ସେ ନିଜର ପ୍ରାୟ ୫୦ ଗାଈ ଗୋରୁ ଧରି ସିରିକୋଇ ଗ୍ରାମ ଅପରପାର୍ଶ୍ବରେ ବଡ଼ ନଦୀ ପାର ହୋଇ ସାରିଆପଲ୍ଲୀ ତୋଟା ମାଳରେ ଗାଈ ଚରାଉଥିଲେ। ଆଜି ଅପରାହ୍ନ ୪ଟା ବେଳେ ଘଡଘଡି ସହ ବର୍ଷା ହୋଇଥିଲା। ଜୟ ନିଜ ଗାଈ ଗୋରୁଙ୍କ ସହ ଏକ ଗଛ ମୂଳରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା। ୧୦ଟି ଗାଈ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବେଲଗୁଣ୍ଠା ବ୍ଲକ୍ ପଶୁ ଚିକିତ୍ସାଧିକାରୀ ଡା. କାର୍ତ୍ତିକ ସାହୁଙ୍କ ନିର୍ଦ୍ଦେଶରେ ଗାଙ୍ଗପୁର ପଶୁ ଚିକିତ୍ସାଧିକାରୀ ଡା. ଅବିନାଶ ସାହୁ ଉକ୍ତ ଗ୍ରାମକୁ ଯାଇ ମୃତ ଗାଈଗୋରୁଙ୍କ ଶବ ବ୍ୟବଚ୍ଛେଦ କରାଇ ପୋତି ଦେଇଥିଲେ। ସରକାରୀ ଗାଇଡଲାଇନ୍ ପ୍ରକାରେ ମୃତ ଗାଈଗୋରୁଙ୍କ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେଲଗୁଣ୍ଠା ତହସିଲଦାର ପ୍ରଭାକର କୁଜୁରୁ କହିଛନ୍ତି।