ଲୋକ କଳା ଓ କଳାକାରଙ୍କୁ ମିଳିବ ପ୍ରୋତ୍ସାହନ, ସରକାରୀ ଯୋଜନାର ପ୍ରଚାର ବି ହେବ 

ଛତ୍ରପୁର: ଗୋଟିଏ ପଟେ ଇଣ୍ଟର୍‌ନେଟ୍‌ ଯୁଗର ତାଡ଼ନାରେ ଲୋକ କଳା ପ୍ରତି ଆଦର ହ୍ରାସ ପାଉଛି। ତାହାର ପ୍ରଭାବରେ ଲୋକ କଳାକାରମାନେ ମଧ୍ୟ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ପରିଲକ୍ଷିତ ହେଉଛି। ଏହି ଲୋକ କଳା ଆମ ପ୍ରାଚୀନ ସଂସ୍କୃତି, ଜନଜୀବନର ପ୍ରତିଫଳନ ଅଟେ। ତେଣୁ ଏହାର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନାକୁ ରାଜ୍ୟର ପ୍ରତି ବ୍ଲକ୍‌ରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ଅନ୍ତର୍ଗତ ଏଣିକି ଗାଁ ଗାରେ ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ଲୋକକଳା ପରିବେଷଣ ଜରିଆରେ କରାଯିବ। ମିଶନ୍‌ ଶକ୍ତି, ମମତା ଯୋଜନା, ମୋ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ରଣ ସୁଧ ରିହାତି, ଆମ ହସପିଟାଲ, ଆମ ଓଡ଼ିଶା ନବୀନ ଓଡ଼ିଶା, ୫ଟି ହାଇସ୍କୁଲ ରୂପାନ୍ତରୀକରଣ, ମଧୁବାବୁ ପେନ୍‌ସନ୍‌ ଯୋଜନା, କ୍ରୀଡ଼ା ଓ ହକି ଉପରେ ସଚେତନତା ବାର୍ତ୍ତା ଦେବେ ଲୋକ କଳାକାର।

ଏଥିପାଇଁ ତୃଣମୂଳସ୍ତରରୁ ନୂଆ ଓ ପୁରୁଣା ତଥା ବିଭିନ୍ନ ଲୋକକଳା ପରିବେଷଣ କରୁଥିବା ସାଂସ୍କୃତିକ ଦଳ ଚୟନ କରାଯାଇଛି। ସେଥିରେ ରହିଛନ୍ତି ସଂକୀର୍ତ୍ତନ ମଣ୍ଡଳୀ, ପ୍ରହ୍ଲାଦ ନାଟକ, ଭାରତ ଲୀଳା, ପଶୁମୁଖା ନୃତ୍ୟ, ଗାହଣ, ଦଣ୍ତ ନାଚ, ପାଲା, ରାମ ଲୀଳା, କୃଷ୍ଣ ଲୀଳା, ଦାସକାଠିଆ, ଘଣ୍ଟ ମୃଦଙ୍ଗ ଦଳ, ଆଦିବାସୀ ଗୋଷ୍ଠୀର ପାରମ୍ପରିକ ଖଞ୍ଜଣି ନାଚ ଦଳ ଆଦି। ସେମାନଙ୍କୁ ବିଧିବଦ୍ଧ ପ୍ରଶିକ୍ଷଣ ପ୍ରଦାନ ମଧ୍ୟ କରାଯାଇଛି। ଅଧିକରୁ ଅଧିକ କଳାକାର ଏହି ଯୋଜନାରେ କିଭଳି ବ୍ଲକସ୍ତରରୁ ସାମିଲ୍‌ ହୋଇପାରିବେ ସେଥିନିମନ୍ତେ ପ୍ରୟାସ କରାଯାଇ ଥିଲା। ଏହି ଲୋକ କଳା ଦଳ ସବୁ ପାରମ୍ପରିକ ମୌଳିକତା ବଜାୟ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ଗାଁ ଗାଁରେ ଜନସାଧାରଣଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିବେ। ଏହାଦ୍ଵାରା ଗୋଟିଏ ପଟେ କଳାକାରଙ୍କୁ ନିଜସ୍ଵ କଳାର ପ୍ରଦର୍ଶନ ସୁଯୋଗ ତ ମିଳିବ, ସେମାନଙ୍କ ଆୟ ଉପାର୍ଜନ ନିମନ୍ତେ ମଧ୍ୟ ବ୍ୟବସ୍ଥା ହୋଇପାରିବ। ଜନସାଧାରଣ ଧିରେ ଧିରେ ଭୁଲି ଯାଉଥିବା ଅନେକ ଲୋକକଳା ମଧ୍ୟ ଦେଖିବାକୁ ପାଇପାରିବେ। ଲୋକ କଳାକାରଙ୍କୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯିବା ଯୋଜନା ହୋଇଛି।

କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ ଗଞ୍ଜାମ ଜିଲ୍ଲାରେ ୨୯୫ଟି ନୂଆ ପୁରୁଣା ଓ ଭଳିକି ଭଳି ସାଂସ୍କୃତିକ ଦଳ ଜିଲ୍ଲାର ୫୦୩ ପଞ୍ଚାୟତରେ ଲୋକକଳା ପରିବେଷଣ ସହ ସରକାରୀ ଯୋଜନାର ପ୍ରଚାର ପ୍ରସାର କରିବେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାଲିମପ୍ରାପ୍ତ କଳାକାରମାନେ ଗ୍ରାମମାନଙ୍କରେ ଏସବୁ କାର୍ଯ୍ୟକ୍ରମ କରିବେ। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା କଳା ଓ ସାଂସ୍କୃତିକ ସଂଘ ସଭାପତି ଦିବ୍ୟଜ୍ୟୋତି ପରିଡ଼ା ପ୍ରଚାର ପ୍ରସାର ବେଳେ ପାରମ୍ପରିକ ଲୋକକଳା ଗୁଡ଼ିକର ମୌଳିକତା ଯେମିତି ନଷ୍ଟ ହେବନାହିଁ ତାହାକୁ ଗୁରୁତ୍ବ ଦେଇଛନ୍ତି। ଗ୍ରାମାଞ୍ଚଳ ଲୋକମାନଙ୍କ ପାଖରେ ଯେଭଳି ସଠିକ୍‌ ଭାବରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ତଥ୍ୟ ପହଞ୍ଚିପାରିବ ଏବଂ ଲୋକମାନେ ଯେପରି ଏଥିରୁ ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ। ଏ ମଧ୍ୟରେ ବିଭିନ୍ନ ବ୍ଲକ୍‌ରେ କଳାକାର ଓ ଲୋକ କଳା ଦଳ ଚୟନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଛି। ଏବେ ଗାଁ ଗାଁରେ ଲୋକକଳା ପରିବେଷଣ ଆରମ୍ଭ ହୋଇଛି।

Comments are closed.