ଦେବଶିଳ୍ପୀ ବିଶ୍ୱକର୍ମା, ପିତାମହ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ  | News Room Odisha

ଦେବଶିଳ୍ପୀ ବିଶ୍ୱକର୍ମା, ପିତାମହ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ 

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରା ଯାଇଛି । ଯେତେବେଳେ ସୃଷ୍ଟିକରନ୍ତି ସେତେବେଳେ ସେ ବ୍ରହ୍ମା,ଯେତେବେଳେ ପାଳନ କରନ୍ତି ସେତେ- ବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର । ସେହିପରି ସେ ଯେତେ- ବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।

ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।

ଅବତାର ଓ ପଞ୍ଚମୁଖ- ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।

ବଂଶାବଳୀ:- ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ – ୬୫ /୧୦୨) । ତ୍ୱଷ୍ଟା – ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।

ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା

ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।

ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟ ରେ ଗମନ କରୁଥିଲେ।ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟା ମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ ।

ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ ।

ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି ‘ନଳ’ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-