୬୭ ଜଣ ପୋଲିସ ଅଧିକାରୀ /କର୍ମଚାରୀଙ୍କୁ ସାହସିକତା ପାଇଁ ପୋଲିସ ପଦକ ପ୍ରଦାନ କଲେ ରାଜ୍ୟପାଳ  | News Room Odisha

୬୭ ଜଣ ପୋଲିସ ଅଧିକାରୀ /କର୍ମଚାରୀଙ୍କୁ ସାହସିକତା ପାଇଁ ପୋଲିସ ପଦକ ପ୍ରଦାନ କଲେ ରାଜ୍ୟପାଳ 

ଭୁବନେଶ୍ୱର – ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୬୭ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ସାହସିକତା ନିମନ୍ତେ ପୋଲିସ ପଦକ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହା ସ୍ବାଧୀନତା ଦିବସ ଅବସରରେ ସାହସିକତା ପାଇଁ ପୋଲିସ ପଦକ ନିମନ୍ତେ ପୋଲିସ ଅଧିକାରୀ/ କର୍ମଚାରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ । ୨୦୧୯-୨୦ ମସିହାରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରି ଜିଲ୍ଲାରେ ଭିନ୍ନ ଭିନ୍ନ ୯ଟି ଘଟଣାରେ ମାଓଦମନ ଅଭିଯାନରେ ଉଚ୍ଚକୋଟୀର ସାହସିକତା ପ୍ରଦର୍ଶନ କରିଥିବା ଯୋଗୁଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ଏକକାଳୀନ ୬୭ ଜଣ ଏହି ପଦକ ପାଇବା ଓଡିଶା ପୋଲିସ ନିମନ୍ତେ ଏକ ଗର୍ବ ଏବଂ ଗୌରବର ଘଟଣା । ସେହିପରି ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଦ୍ବାରା ଯୋଗ୍ୟ ବିବେଚିତ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଏବଂ ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ଏସ. ପ୍ରବୀଣ କୁମାର, ଆଇଜିପି (କାର୍ମିକ)ଙ୍କ ସମେତ ଅନ୍ୟ ୧୦ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ମୋଟ ୮୦ ଜଣଙ୍କୁ ପଦକ ପ୍ରଦାନ କରାଯାଇଥିଲା ।