ପରିବାର ନିୟୋଜନ ପାଇଲଟ୍‌ ପ୍ରକଳ୍ପ: ଗଞ୍ଜାମ, କଟକରେ ‘ସବଡର୍ମାଲ୍‌ ଇମ୍ପ୍ଲାଣ୍ଟ’ ପ୍ରୟୋଗ

ବ୍ରହ୍ମପୁର: ଦେଶରେ ଦୁଇଟି ନୂଆ ପରିବାର ନିୟୋଜନ ପଦ୍ଧତିର ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ ହୋଇସାରିଛି। ସେଥିରୁ ଗୋଟିଏ ପଦ୍ଧତିର ପାଇଲଟ୍‌ ପ୍ରକଳ୍ପ ସକାଶେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା ଗଞ୍ଜାମ ଜିଲ୍ଲାକୁ ଚିହ୍ନଟ କରାଯାଇଛି। ନୂଆ ପରିବାର ନିୟୋଜନ ପଦ୍ଧତି “ସବ୍‌ଡର୍ମାଲ୍‌ ଇମ୍ପପ୍ଲାଣ୍ଟୁ”କୁ ଗଞ୍ଜାମ ଓ କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଜରିଆରେ ଉକ୍ତ ଦୁଇ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ୫ ଜଣ ମହିଳାଙ୍କ ଡେଣା ମାଂସପେଶୀ ତଳ ଭାଗରେ ଓଐଷଧୀୟ କିଟ୍‌ ପ୍ରତିରୋପଣ କରାଯାଇଛି। କିଟ୍‌ ପ୍ରତିରୋପଣ ଦ୍ଵାରା ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ପରିବାର କଲ୍ୟାଣ) ଡା. ସରୋଜିନୀ ଦେବୀ। ପାଇଲଟ୍‌ ପ୍ରକଳ୍ପର ସଫଳତା ପରେ ପରବର୍ତ୍ତୀ କାର୍ଯ୍ୟକାରିତା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ମାତୃ ଓ ଶିଶୁ କାର୍ଯ୍ୟକ୍ରମ ପରିଚାଳକ ଶକ୍ତି କୁମାର ଦିଗଲ କହିଛନ୍ତି।

ଦେଶରେ ପରିବାର ନିୟୋଜନ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଦୁଇଟି ଉପାୟ ରହିଥିଲା। ସେହିପରି ଅସ୍ଥାୟୀ ଗର୍ଭନିରୋଧକ ପାଇଁ ସ୍ବାସ୍ଥ୍ୟ ବିଭାଗ ୫ଟି ପଦ୍ଧତି ଆପଣାଉଥିଲା। ଗତ ଜାନୁଆରୀରେ କେନ୍ଦ୍ର ସରକାର ପରିବାର ନିୟୋଜନ କ୍ଷେତ୍ରରେ ଦୁଇଟି ଅତ୍ୟାଧୁନିକ ଗର୍ଭନିରୋଧକ ପଦ୍ଧତି ପ୍ରୟୋଗର ଘୋଷଣା କରିଥଲେ। ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଦେଶର ୧୯ଟି ରାଜ୍ୟକୁ ଚିହ୍ନଟ କରାଯାଇଥିବା ବେଳେ ସେହି ତାଲିକାରେ ଓଡ଼ିଶାକୁ ସାମିଲ କରାଯାଇଥିଲା। ନିକଟରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ୫ ଜଣ ମହିଳାଙ୍କ ଠାରେ ସବ୍‌ଡର୍ମାଲ୍‌ ଇମ୍‌ପ୍ଲାଣ୍ଟ୍‌ ପଦ୍ଧତି ପ୍ରୟୋଗ କରିଥଲା। ପରିବାର ନିୟୋଜନ ଆଶାୟୀ ପ୍ରତ୍ୟେକ ମହିଳାଙ୍କ ଠାରେ ୪ ସେମି ଲମ୍ବ ଓ ୨ ମିମି ବ୍ୟାସ ବିଶିଷ୍ଟ ଏହି କିଟ୍‌ ପ୍ରତ୍ୟାରୋପଣ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଉକ୍ତ ମହିଳାଙ୍କୁ ରୀତିମତ ଯାଞ୍ଚ କରୁଥିବା ଡା. ସରୋଜିନୀ ଦେବୀ କହିଛନ୍ତି।

ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକ ନଥିବା ବେଳେ ଏକ ନିଡିଲ୍‌ ସହାୟତାରେ ନନ୍‌ ଡୋମିନେଟିଂ ଆର୍ମ୍‌ (ଡାହାଣହାତି ମହିଳାଙ୍କ କ୍ଷେତ୍ରରେ ସବ୍‌ଡର୍ମାଲ୍‌ ଇମ୍‌ପ୍ଲାଣ୍ଟ୍‌ ବାମ ଡେଣା ମାଂସପେଶୀ)ରେ ପ୍ରତିରୋପଣ କରାଯାଇଥାଏ । ଏହି ପ୍ରତିରୋପଣ ପରେ ଅନ୍ୟ ଗର୍ଭନିରୋଧ ପଦ୍ଧତି ଆପଣାଇବା ଆବଶ୍ୟକ ନଥାଏ। ଏହି କିଟ୍‌ରୁ ନିର୍ଗତ ହର୍‌ମୋନ ଗର୍ଭଧାରଣକୁ ରୋକିଥାଏ ବୋଲି ସ୍ଵାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ ଏହି ପଦ୍ଧତିର ପାଇଲଟ୍‌ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ଓ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସବ୍‌ଡର୍ମାଲ୍‌ ଇମ୍‌ପ୍ଲାଣ୍ଟ୍‌ କିଟ୍‌ ପ୍ରତିରୋପଣ କାର୍ଯ୍ୟକାରୀ କରାଯାଉଛି।

Comments are closed.