ସ୍ୱତନ୍ତ୍ର ଅଧିବେଶନ: ନେହେରୁଙ୍କ ଠାରୁ ମନମୋହନଙ୍କ ଯାଏଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ ମନେ ପକାଇଲେ ମୋଦୀ 

ନୂଆଦିଲ୍ଲୀ: ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଇତିହାସରେ ଜବାହାରଲାଲ ନେହେରୁଙ୍କ ସହ ଡକ୍ଟର ମନମୋହନ ସିଂ ଓ ଅଟଳ ବିହାରୀ ବାଜପେୟୀ ପ୍ରମୁଖ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

‘୭୫ ବର୍ଷର ସଂସଦୀୟ ଯାତ୍ରାର ଉପଲବ୍ଧି, ଅଭିଜ୍ଞତା, ସ୍ମୃତି ଏବଂ ଶିକ୍ଷା’ ଶୀର୍ଷକ ବିଷୟ ଉପରେ ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ୭୫ ବର୍ଷ ମଧ୍ୟରେ ଆମ ସଂସଦ ଜନଭାବନାର ଅଭିବ୍ୟକ୍ତିର ଗୃହରେ ପରିଣତ ହୋଇଛି। ରାଜେନ୍ଦ୍ର ବାବୁଙ୍କ ଠାରୁ ଡକ୍ଟର କଲାମ, ରାମନାଥ କୋବିନ୍ଦ ଜୀ ଏବଂ ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଜୀଙ୍କ ସମ୍ବୋଧନରୁ ଏହି ଗୃହ ଉପକୃତ ହୋଇଛି । ”

“ଆମକୁ ସେମାନଙ୍କ ମାର୍ଗଦର୍ଶନ ମିଳିଛି । ପଣ୍ଡିତ ନେହେରୁ, ଶାସ୍ତ୍ରୀ, ଅଟଳଜୀ ମନମୋହନ ସିଂଜୀ ଏହି ଗୃହର ନେତୃତ୍ୱ ନେଇଛନ୍ତି ଏବଂ ଗୃହ ମାଧ୍ୟମରେ ଦେଶକୁ ଦିଗଦର୍ଶନ ଦେଇଛନ୍ତି।” ଏକ ନୂଆ ରୂପରେ ଦେଶ ଗଠନ ପାଇଁ କଠିନ ପରିଶ୍ରମ କରିଛନ୍ତି। ଆଜି ମଧ୍ୟ ସମସ୍ତଙ୍କୁ ଗୌରବାନ୍ୱିତ କରିବା ଏକ ସୁଯୋଗ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଲୋହିଆ ଜୀ, ଚନ୍ଦ୍ରଶେଖର ଜୀ, ଆଡଭାନୀ ଜୀ ଓ ଅଗଣିତ ବ୍ୟକ୍ତିବିଶେଷ ଗୃହକୁ ସମୃଦ୍ଧ କରିବାରେ, ଆଲୋଚନାକୁ ସମୃଦ୍ଧ କରିବାରେ, ଦେଶର ସାଧାରଣରୁ ଅତି ସାଧାରଣ ଲୋକଙ୍କ ସ୍ୱରକୁ ଶକ୍ତି ପ୍ରଦାନ କରିବାରେ କାର୍ଯ୍ୟ ଏହି ଗୃହରେ କରିଛନ୍ତି । ”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଉତ୍ସାହ ଏବଂ ଉଦ୍ଦୀପନାର ମୁହୂର୍ତ୍ତ ମଧ୍ୟରେ ଗୃହର ଆଖିରୁ ଲୁହ ମଧ୍ୟ ଝରିଛି। ଦେଶ ତିନିଜଣ ପ୍ରଧାନମନ୍ତ୍ରୀ ନେହେରୁଜୀ, ଶାସ୍ତ୍ରୀଜୀ ଏବଂ ଇନ୍ଦିରାଜୀଙ୍କୁ ସେମାନଙ୍କ କାର୍ଯ୍ୟକାଳ ଭିତରେ ହରାଇଥିବା ବେଳେ ଏହି ଗୃହ ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲା।” ଏହି ଗୃହ ଲୁହଭରା ଆଖିରେ ସେମାନଙ୍କୁ ବିଦାୟ ଦେଇଥିଲା।

“ଏହି ଗୃହ ମନମୋହନ ସିଂଙ୍କ ସରକାରରେ କ୍ୟାଶ୍ ଫର୍ ଭୋଟ୍ ଦୁର୍ନୀତିକୁ ମଧ୍ୟ ଦେଖିଛି। ସବକା ସାଥ୍ ସବକା ବିକାଶର ମନ୍ତ୍ର ସହ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ରହିଛି ଏହି ସଂସଦ ଗୃହ । ଦଶନ୍ଧି ଦଶନ୍ଧି ଧରି ବିଚାରାଧୀନ ଥିବା ସମସ୍ୟାର ସ୍ଥାୟୀ ସମାଧାନ ମଧ୍ୟ ଏହି ଗୃହରେ ହୋଇଛି। ଗର୍ବରେ କୁହାଯାଇ ପାରିବ ଯେ ଧାରା ୩୭୦ ପ୍ରସଙ୍ଗରେ ନିଷ୍ପତ୍ତି ମଧ୍ୟ ଏହି ଗୃହରେ ହୋଇଥିଲା । ଗୋଟିଏ ଦେଶ, ଗୋଟିଏ ଟିକସ ତଥା ଜିଏସଟି ନିଷ୍ପତ୍ତି ମଧ୍ୟ ଏହି ଗୃହ ନେଇଥିଲା । ଓ୍ବାନ ର଼୍ୟାଙ୍କ, ଓ୍ବାନ ପେନସନ୍ ବି ଏହି ଗୃହ ଦେଖିଥିଲା ‌ । ବିନା‌ କୌଣସି ବିବାଦରେ ପ୍ରଥମ ଥର ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ମଧ୍ୟ ଏହି ଗୃହରେ ହୋଇଥିଲା ।

Comments are closed.