ଭଞ୍ଜନଗର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ମୁତାବକ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ବେଳେ ୧୯ ତାରିଖରେ ଏହା ଲଘୁଚାପର ରୂପ ନେବ। ଫଳରେ ରାଜ୍ୟର ବ୍ୟାପକ ଅଞ୍ଚଳରେ ମଙ୍ଗଳବାରରୁ ୩ରୁ ୪ ଦିନ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି। ଯଦି ଲଘୁଚାପଜନିତ ଲଗାଣ ବର୍ଷା ହୁଏ ତେବେ ଏହି ଅଞ୍ଚଳର ଡହ ଜଳଭଣ୍ଡାରରୁ ଉଦବୃତ୍ତ ଜଳକୁ ନଦୀରେ ନିଷ୍କାସିତ କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସୂଚନା ଦେଇଛନ୍ତି ଭଞ୍ଜନଗର ଜଳସମ୍ପଦ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ଇଁ ଗୋକୁଳାନନ୍ଦ ପାଢ଼ୀ।
ପୂର୍ବରୁ ଖରିଫ୍ ଚାଷ ବଞ୍ଚାଇବାକୁ ଡହ ଜଳଭଣ୍ଡାରରୁ କେନାଲ ଯୋଗେ ପ୍ରଚୁର ମାତ୍ରାର ଜଳ ନିଷ୍କାସିତ କରାଯାଇଥିଲା। ଫଳରେ ଜଳଭଣ୍ଡାରର ଜଳପତ୍ତନ ହ୍ରାସ ପାଇଥିଲା। ପରବର୍ତ୍ତୀ ସମୟରେ ଦୁଇଟି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଡହ ଜଳଭଣ୍ଡାରରେ ପୁଣି ଥରେ ପାଣି ଭର୍ତ୍ତି ହୋଇଥିଲା। ଏବେ ଏହି ଡ୍ୟାମରେ ପାଖାପାଖି ୯୦ ପ୍ରତିଶତ ଜଳ ଭରି ରହିଛି।
ଆଗକୁ ଲଗାଣ ବର୍ଷା ହେଲେ ଜଳଭଣ୍ଡାର ପ୍ରତି ବିପଦ ଆଶଙ୍କା ରହିଛି। ଏଣୁ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋହରାଖଣ୍ଡି ନଦୀ କୂଳରେ ଅବସ୍ଥିତ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର ବହୁ ଗ୍ରାମର ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ନୋଟିସ୍ ଟଙ୍ଗା ଯାଇଛି। ଉଭୟ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକ୍ ପ୍ରଶାସନ ଦ୍ବାରା ମଧ୍ୟ ଏଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜଳ ଛାଡ଼ିବା ସମୟରେ ନଦୀ ଭିତରକୁ କେହି ନଯିବା ସହ ଗୃହପାଳିତ ପଶୁଙ୍କୁ ନଦୀକୁ ନଛାଡିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
Comments are closed.