ତଦନ୍ତକୁ ସାମ୍ନା କରିବାକୁ ଏତେ ଡର କାହିଁକି ? : ବିଜେଡି

ଭୁବନେଶ୍ୱର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି , ତେବେ କ’ଣ ସେ ଆଇନର ଉର୍ଦ୍ଧ୍ବରେ ବୋଲି ଗଣା ଯିବେ କି ? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।

ଡକ୍ଟର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ କିଛି ମାସ ତଳେ ଦୈନିକ ଭାସ୍କର , ଏନଡିଟିଭି ସମେତ ଜାତୀୟ ସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ପକ୍ଷରୁ ଚଢ଼ଉ ହୋଇଥିଲା । ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ । ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି ସେତେବେଳେ ତ କାହିଁ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରିନଥିଲେ । ଚାରି ପାଞ୍ଚ ଦିନ ତଳେ ନନ୍ଦିଘୋଷ ଟିଭିର କାର୍ଯ୍ୟାଳୟରେ ମଧ୍ୟ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢଉ କରାଯାଇଥିଲା । ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଉଜକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ କି ନିଜ ଚ୍ୟାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରି ନଥିଲେ । ବରଂ ଏଥିରେ ସମ୍ପୂର୍ଣ ସହଯୋଗ କରିଥିଲେ ।

ଶେଷରେ ସେଣ୍ଟ୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥିଲେ । ତେଣୁ ନନ୍ଦିଘୋଷ ହେଉ କି ସମ୍ବାଦ , କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଉର୍ଦ୍ଧ୍ବରେ ନୁହନ୍ତି । ସମ୍ବାଦ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି । ଠକାମିର ଶିକାର ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ୩୦୦ ବୋଲି କୁହାଯାଉଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଅଛନ୍ତି । ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି ? ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି ‘ ?

ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହେବା ପରେ ଯେଉଁମାନେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ବାହାରିଛନ୍ତି , କିଛି ଜାଲିଆତି ହୋଇନାହିଁ ବୋଲି ସେମାନେ ଜାଣିଲେ କେମିତି ? ଏନେଇ ସେମାନେ କେଉଁ ଆଧାରରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇ ପକାଉଛନ୍ତି ବୋଲି ଡକ୍ଟର ମହାନ୍ତି ପ୍ରଶ୍ନ କରିଛନ୍ତି ।

Comments are closed.