ବିଇଏମ୍‌ସିର ପାର୍ବଣ ପ୍ରସ୍ତୁତି: ୩ ଅସ୍ଥାୟୀ ପୋଖରୀରେ ବିସର୍ଜନ | News Room Odisha

ବିଇଏମ୍‌ସିର ପାର୍ବଣ ପ୍ରସ୍ତୁତି: ୩ ଅସ୍ଥାୟୀ ପୋଖରୀରେ ବିସର୍ଜନ

ବ୍ରହ୍ମପୁର: ଶ୍ରୀଗଣେଶ ପୂଜା ସହ ପାର୍ବଣ ଋତୁର ଆଗମନ ଘଟି ସାରିଛି। ଶ୍ରୀଗଣେଶ ପୂଜା ପାଇଁ ରେଶମ ମହାନଗର ଚଳଚଞ୍ଚଳ। ସାହି ଗଳିରେ ଛୋଟ ବଡ଼ ସହସ୍ରାଧିକ ମେଢ଼ ହୋଇଛି। ଆଗକୁ ଦୁର୍ଗା ପୂଜା ମଣ୍ଡପ, କାଳୀ ପୂଜା ଓ ଗଜଲକ୍ଷ୍ମୀ ପୂଜା ତୋରଣ ମଧ୍ୟ ହେବ। ପୂଜା ସରିବା ପରେ ମୂର୍ତ୍ତି ବିସର୍ଜନ ମଧ୍ୟ କରାଯିବ। ମୂର୍ତ୍ତି ବିସର୍ଜନ ବେଳେ ଯେଭଳି ଏହା ଜଳାଶୟ, ପରିବେଶକୁ ପ୍ରଦୂଷଣ ନକରେ, ସେଥିପାଇଁ ଵିଇଏମ୍‌ସି ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଦୂଷଣମୁକ୍ତ ବିସର୍ଜନ ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ତିନୋଟି ଅସ୍ଥାୟୀ ପୋଖରୀ ଖୋଳିଛି। ୧୨ ନମ୍ବର ଓ୍ଵାର୍ଡ ଅନ୍ଧପସରା ରୋଡ୍‌, ୪ ନମ୍ବର ଓ୍ଵାର୍ଡ ଫାଷ୍ଟ ଗେଟ୍‌ ଏବଂ ୨୮ ନମ୍ବର ଓ୍ଵାର୍ଡ ନେହରୁନଗର ଓଭରବ୍ରିଜ୍‌ ନିକଟରେ ଗୋଟିଏ ଲେଖାଏଁ ଅସ୍ଥାୟୀ ପୋଖରୀ କରାଯାଇଛି। ଆମ୍ବପୁଆ- ଖୋଡ଼ାସିଙ୍କି ଅଞ୍ଚଳରେ ଆଉ ଗୋଟିଏ ଅସ୍ଥାୟୀ ପୋଖରୀ ଶୀଘ୍ର ଖୋଳାଯିବ।

ବିଇଏମ୍‌ସି କମିଶନର୍ ଜେ.ସୋନାଲଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ କରାଯାଉଛି। ନିର୍ବାହୀ ଯନ୍ତ୍ରୀ ଏମ୍‌. ନାଗେଶ୍ଵର ରାଓ ସୁବୁଦ୍ଧିଙ୍କ ସୂଚନା ମୁତାବକ ଏହି ୩ ଅସ୍ଥାୟୀ ପୋଖରୀରେ ପଲିଥିନ୍‌ ଓ ବ୍ଲିଚିଂ ପକାଇ ପାଣି ଭର୍ତ୍ତି କରାଯାଇଛି। ଏଠାରେ ମୂର୍ତ୍ତି ବିସର୍ଜନ ପରେ ଜେସିବି ମାଧ୍ଯମରେ ଆବର୍ଜନା ସବୁ ବାହାର କରି ଅନ୍ୟତ୍ର ସ୍ଥାନାନ୍ତର ହେବ। ଗଣେଶ ପୂଜା ସମେତ ଅନ୍ୟାନ୍ୟ ପୂଜା ମଣ୍ଡପର ମୂର୍ତ୍ତି ଏସବୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ଚତୁଃପାର୍ଶ୍ଵରେ ପୂଜା ମଣ୍ଡପଗୁଡିକ ନିଜ ସୁବିଧା ମୁତାବକ ପାଖ ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବେ। ଆଜିଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ପୂଜା ପେଣ୍ଡାଲର ମୂର୍ତ୍ତି ବିସର୍ଜନ ଆରମ୍ଭ ହୋଇଯିବ। ନିର୍ଦ୍ଧାରିତ ସ୍ଥଳ ବ୍ୟତୀତ ଅନ୍ୟତ୍ର ବିସଜନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରାକୃତିକ ଓ ସ୍ଥିର ଜଳଉତ୍ସରେ ବିସର୍ଜନ କାରଣରୁ ଜଳ ପ୍ରଦୂଷିତ ହେଉଥିଲା। ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ପ୍ଲାଷ୍ଟର୍‌ ଅଫ୍ ପ୍ୟାରିସ୍‌, ରସାୟନ, ରଙ୍ଗ, କାଠିକୁଟା ଆଦି ଆବର୍ଜନା ପାଣିରେ ଦ୍ରବୀଭୂତ ହୋଇ ଜଳ ଓ ମାଟିକୁ ପ୍ରଦୂଷଣ କରିବା ସହ ନାନା ରୋଗ ସୃଷ୍ଟିର କାରଣ ସାଜୁଥିଲା। ତେବେ ଗତ କିଛି ବର୍ଷ ହେବ ଏହି ପ୍ରଦୂଷଣ ସମସ୍ୟାର ପ୍ରତିକାର ପାଇଁ ବିଇଏମ୍‌ସି ଏଭଳି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଆସୁଛି। ବିଇଏମ୍‌ସିର ପଦକ୍ଷେପ ନେଇ ସହରର ପରିବେଶବିତ୍‌, ପ୍ରକୃତିପ୍ରେମୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି।