ଶ୍ରୀମନ୍ଦିର ପରମ୍ପରାରେ ରାଧାଷ୍ଟମୀରେ ସୁଦର୍ଶନଙ୍କୁ ବାର୍ଷିକ ଆୟବ୍ୟୟର ହିସାବ ଦେଲେ ଶ୍ରୀଜମ୍ବେଶ୍ୱର

ପବିତ୍ର ରାଧାଷ୍ଟମୀ ଅବସର ରେ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ନୀତି ପାଳିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟାହ୍ନଧୂପ ଭୋଗ ସରି ପାଣି ପଡିବା ଉତ୍ତରାରେ ପଶୁପାଳକ ମାନେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ବିଜେ କରାଇ ଆଣି ଖଟ ଶେଜ ଘରେ ବିଜେ କରାଇଥିଲେ।

ତତ୍ପରେ ଦଇତାପତି ମାନେ ସୁଦର୍ଶନଙ୍କୁ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେବା ପରେ ପହଣ୍ଡି କରି ଆଣି ଜଗମୋହନ ଚଉଦୋଳ ରେ ବିଜେ କରାଇ ରୁନ୍ଧା କାର୍ଯ୍ୟ ସରି ପାଟପତନୀ ଲାଗି କରାଇଥିଲେ। ତତ୍ପରେ ବିମାନବଡୁ ସେବକ ଚଉଦୋଳକୁ ମୁକ୍ତିମଣ୍ଡପ ନିକଟକୁ ନେଇଥିଲେ। ସେଠାରେ ଶ୍ରୀ ସୁଦର୍ଶନଙ୍କୁ ସୁବର୍ଣ୍ଣ ହରିଡ଼ାମାଳ , କମର ପଟି , ଦୟଣାମାଳି ସେବକ ଦେଇଥିବା ଚୁଳ ଲାଗି କରାଯାଇଥିଲା। ତତ୍ପରେ ଶ୍ରୀସୁଦର୍ଶନ ବଡ଼ଦେଉଳର ଏକ ବେଢା଼ କରି ସିଂହଦ୍ୱାର ଦେଇ ଆଶ୍ରମ ବିଜେ କରିଥିଲେ। ଏହି ଅବସର ରେ ଶ୍ରୀମନ୍ଦିର ର ହିସାବ ରକ୍ଷକ ଶ୍ରୀ ଜମ୍ବେଶ୍ୱର ଶ୍ରୀମନ୍ଦିର ର ବାର୍ଷିକ ଆୟବ୍ୟୟ ର ହିସାବ ପ୍ରଦାନ କରିଥିଲେ। ସେଠାରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ବନ୍ଦାପନା ହୋଇ ସୁଦର୍ଶନ ବାହୁଡା ବିଜେ କରିଥିଲେ।

ପାଳିଆ ମେକାପ ସିଂହାସନ ପୋଛା ସରିବା ପରେ ଚାରି ବାଡ଼ରେ ମହାସ୍ନାନ ବଢିବା ପରେ ପାଳିଆ ପଶୁପାଳକ ଶ୍ରୀଦେବୀ ଓ ଭୂଦେବୀଙ୍କୁ ସିଂହାସନ ବିଜେ କରାଇଥିଲେ। ଚାରି ବାଡ଼ରେ ସନ୍ଧ୍ୟା ଆଳତି ଓ ଚାରି ବାଡ଼ରେ ସନ୍ଧ୍ୟା ଧୂପ ବଢିବା ପରେ ସୁଦର୍ଶନ ବାଡରେ ପ୍ରସାଦ ଲାଗି ଏବଂ ବନ୍ଦାପନା ହୋଇ ଅନ୍ୟାନ୍ୟ ନୀତି ବଢିଥିଲା ।

Comments are closed.