ଖଲ୍ଲିକୋଟ ବଡ଼ ଘାଟିରେ ସିରିଜ୍ ଦୁର୍ଘଟଣା: ମହିଳା ସମେତ ୨ ମୃତ, ୩ ଗୁରୁତର ଓ ୩ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବଡ଼ ଘାଟିରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଦୁର୍ଘଟଣା ଘଟି ଜଣେ ମହିଳା ଓ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଜୀବନ ଯାଇଛି। ଜଣେ ନାବାଳକ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ଘାଟିର ଗଡାଣିଆ ରାସ୍ତାରେ ବ୍ରେକ୍ ଫେଲ୍ ହୋଇଯିବାରୁ ଗୋଟିଏ ଟ୍ରକ୍ ଆଗରେ ଯାଉଥିବା ଏକ ବାଇକ୍ ଓ ପରେ ଏକ କାରକୁ ଜୋରଦାର ଟକ୍କର ମାରି ଘାଟି ତଳକୁ ଓଲଟି ପଡିଥିଲା। ଫଳରେ ବାଇକରେ ଯାଉଥିବା ନିକଟସ୍ଥ ବିକ୍ରମପୁର ଗ୍ରାମର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଚାଳକ ବିଶାଖାପାଟଣାର ନରସିଂହ ରାଓଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବିଷ୍ଣୁପ୍ରିୟାଙ୍କ ଭାଇ ରାମଚନ୍ଦ୍ର ପୃଷ୍ଟି ଓ ୯ ବର୍ଷର ପୁଅ ଆଶୁତୋଷ ସୁବୁଦ୍ଧିଙ୍କ ସମେତ ଟ୍ରକ୍ ହେଲପର୍ ଜୟରାମଙ୍କ ଅବସ୍ଥା ଗୁରୁତର ଥିବା ବେଳେ କାର୍ ଯାତ୍ରୀ ବିକ୍ରମପୁରର ଶଙ୍କର ପରିଡ଼ା, ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ଆହତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର ପଲାସାରୁ ତେଲ ବୋଝେଇ ଟ୍ରକ୍ (ଏପି୦୫ଟିବି ୭୩୫୯) କୋଲକାତା ଅଭିମୁଖେ ଯାଉଥିଲା। ଖଲ୍ଲିକୋଟ ବଡ଼ ଘାଟି ଗଡ଼ାଣିଆ ରାସ୍ତାରେ ବ୍ରେକ୍ ଫେଲ୍ ହୋଇଯିବାରୁ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ବାଇକ୍ ଓ ଏକ କାରକୁ ଧକ୍କା ଦେଇଥିଲା।ବାଇକ୍ (ଓଡି୦୭ଏଆର୍ ୪୪୦୫)ରେ ନିଜ ଗ୍ରାମ ବିକ୍ରମପୁରକୁ ଯାଉଥିବା ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ର ଓ ଆଶୁତୋଷ ଗୁରୁତର ହୋଇପଡିଥିଲେ। ଏହାପରେ ଟ୍ରକଟି ଛତ୍ରପୁର ପଟୁ ଫେରୁଥିବା ଏକ କାର୍ (ଓଡି୦୭ଏଏନ୍ ୩୫୨୫)କୁ ଟକ୍କର ମାରିବାରୁ କାରଟି ରାଜପଥରେ ଚାରି ରାଉଣ୍ଡ ବୁଲି ଅଟକି ଯାଇଥିଲା। ସୌଭାଗ୍ୟବଶତଃ ୩ କାର୍ ଯାତ୍ରୀ ଆହତ ହୋଇ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏତିକିରେ ନ ଅଟକି ଟ୍ରକଟି ବଡ଼ ଘାଟି ରାସ୍ତାରୁ ପ୍ରାୟ ୪୦ ଫୁଟ ତଳକୁ ଖସି ପଡ଼ିଥିଲା। ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର୍ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.