୩୦ ହଜାର ବୋତଲରେ ୨୩ ଫୁଟର ହାତୀ

ବ୍ରହ୍ମପୁର: ବେଷ୍ଟ ଆଉଟ୍‌ ଅଫ୍‌ ଓ୍ବେଷ୍ଟ… ଆବର୍ଜନାରୁ ସୁନ୍ଦର କଳାକୃତି ସୃଷ୍ଟି କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଓ୍ବେଷ୍ଟ ଟୁ ଓ୍ବେଲଥ ସ୍ଲୋଗାନକୁ ବାସ୍ତବତାରେ ପରିଣତ କରି ରାଜ୍ୟ ସରକାରଙ୍କ ଏହି ପ୍ରମୁଖ ଶିଳ୍ପ ତାଲିମ ଅନୁଷ୍ଠାନ ଏ ସମ୍ବନ୍ଧୀୟ ରେକର୍ଡ ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଆଇଟିଆଇ ପରିସରରେ ନିର୍ମିତ ଓପନ୍‌ ଏୟାର୍‌ ସ୍କ୍ରାପ୍‌ ପାର୍କରେ ଯୋଡ଼ି ହବାକୁ ଯାଉଛି ଆଉ ଏକ କଳାକୃତି। ଏହି ଶିକ୍ଷାନୁଷ୍ଠାନର ପ୍ରଶିକ୍ଷାର୍ଥୀମାନେ ତିଆରି କରିଛନ୍ତି ୨୩ ଫୁଟ ଉଚ୍ଚ ବିରାଟ ହାତୀର ପ୍ରତିକୃତି। ତେବେ ଉଲ୍ଲେଖନୀୟ କଥା ହେଉଛି ଏହା ନିର୍ମାଣ କରିବାକୁ ବ୍ୟବହୃତ ହୋଇଛି ୩୦ ହଜାର ଅବ୍ୟବହୃତ ପ୍ଲାଷ୍ଟିକ୍‌ ବୋତଲ। ବର୍ତ୍ତମାନ ସମୟରେ ଲୋକେ ଦୈନିକ ହଜାର ହଜାର ପ୍ଲାଷ୍ଟିକ୍‌ ବୋତଲ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦେଉଛନ୍ତି। ସେ ଥଣ୍ଡା ପାଣି ହେଉ କି ଥଣ୍ଡା ପାନୀୟ ଅଥବା ଅନ୍ୟାନ୍ୟ ତରଳ ବା ଅର୍ଦ୍ଧତରଳ ସାମଗ୍ରୀ ବ୍ୟବହାର କରିବା ପରେ ପ୍ଲାଷ୍ଟିକ୍‌ ବୋତଲକୁ ଆବର୍ଜନାରେ ଫୋପାଡ଼ି ଦିଅନ୍ତି ଲୋକେ। ଫଳରେ ସହଜରେ ପ୍ରାକୃତିକ ଉପାୟରେ ବିଘଟନ ହେଉ ନଥିବା ଏହି ଆବର୍ଜନା ସାମଗ୍ରୀର ପରିମାଣ ବିଶେଷ କରି ସହରାଞ୍ଚଳରେ ଅହେତୁକ ବୃଦ୍ଧି ପାଉଛି। ତେବେ ଏହାର ପ୍ରତିକାର ପଦକ୍ଷେପ ସ୍ବରୂପ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରଶିକ୍ଷାର୍ଥୀମାନେ ଏଭଳି ୩୦ ହଜାର ପ୍ଲାଷ୍ଟିକ୍‌ ବୋତଲକୁ ନେଇ ଉପରୋକ୍ତ ନିଆରା କଳାକୃତି ନିର୍ମାଣ କରିଛନ୍ତି।

ପ୍ରାୟ ମାସାଧିକ କାଳ ହେବ ଏହି ସ୍କ୍ରାପ୍‌ ଏଲିଫାଣ୍ଟ୍‌ ନିର୍ମାଣ ପ୍ରକ୍ରିୟାରେ ଜୁଟି ଯାଇଥିଲେ ବ୍ରହ୍ମପୁର ଆଇଟିଆଇ କର୍ତ୍ତୃପକ୍ଷ। ପ୍ରଥମେ ଆବର୍ଜନା ଲୁହାରେ ଏହାର ଏକ ଢାଞ୍ଚା ପ୍ରସ୍ତୁତ କରାଯାଇ ଥିଲା। ପରେ ସେଥିରେ ୩୦ ହଜାର ଛୋଟ ବଡ଼ ପ୍ଲାଷ୍ଟିକ୍‌ ବୋତଲ ଖଞ୍ଜାଯାଇ ଥିଲା। ଏଥିପାଇଁ ଆଇଟିଆଇର ଉଣାଅଧିକେ ସମସ୍ତ ଛାତ୍ରଛାତ୍ରୀ ବୋତଲ ସଂଗ୍ରହ କରିଥିଲେ। ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏ ଦିଗରେ ସହାୟତାର ହାତ ବଢ଼ାଇଥିଲା। ମହାନଗରର ବିଭିନ୍ନ ଡମ୍ପିଂ ୟାର୍ଡରୁ ସଂଗୃହୀତ ପ୍ଲାଷ୍ଟିକ୍‌ ବୋତଲ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇ ଥିଲା। ଅକ୍ଟୋବର ପହିଲାରେ ଏହା ଆଇଟିଆଇ ମୁକ୍ତାକାଶ ସ୍କ୍ରାପ୍‌ ପାର୍କର ଶୋଭାବର୍ଦ୍ଧନ କରିବାକୁ ଯାଉଛି।

ପୂର୍ବରୁ ମଧ୍ୟ ରବର ଟ୍ୟୁବ୍‌, ଟାୟାର୍‌, ଇ- ଆବର୍ଜନା, ଅବ୍ୟବହୃତ ଲୁହା, ଭଙ୍ଗା କୋଠାର ବିଭିନ୍ନ ଆବର୍ଜନାକୁ ବ୍ୟବହାର କରି ପୃଥକ୍‌ ସମୟରେ ଭିନ୍ନ ଭିନ୍ନ ଅଥଚ ନିଆରା କଳାକୃତି ନିର୍ମାଣ କରି ଆସିଛନ୍ତି ବ୍ରହ୍ମପୁର ଆଇଟିଆଇ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକ। ଏପରିକି ଏଭଳି ଆକର୍ଷଣୀୟ କଳାକୃତି ନିର୍ମାଣରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ରେକର୍ଡ ବୁକ୍‌ରେ ମଧ୍ଯ ନିଜକୁ ସ୍ଥାନିତ କରିପାରିଛି ଏହି ଶିଳ୍ପ ତାଲିମ ଅନୁଷ୍ଠାନ।

Comments are closed.