ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏପି କମାଣ୍ଡାଣ୍ଟ ସୁନୀଲ ବେହେରା ଗିରଫ | News Room Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏପି କମାଣ୍ଡାଣ୍ଟ ସୁନୀଲ ବେହେରା ଗିରଫ

ଭୁବନେଶ୍ୱର – ଢେଙ୍କାନାଳ ଓଏସ ଏପି ବାଟାଲିଅନ-୧ର କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ଆୟ ବର୍ହିଭୂତ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ୫ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସୂଚନାଯୋଗ୍ୟ ଯେ, ଗତକାଲି ସୁନୀଲ ବେହେରା ଲାଞ୍ଚ ଟଙ୍କା ଧରି ଢେଙ୍କାନାଳରୁ କଟକ ସ୍ଥିତ ନିଜ ଘରକୁ ଯାଉଥିବା ନେଇ ସୂଚନା ପାଇଥିଲା ଭିଜିଲାନ୍ସ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ଧରିଥିଲା। ତାଙ୍କଠାରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରାଯାଇଥିଲା। ଏ ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁଆଡେ ନେଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ସୁନୀଲ।ଏହା ପରେ ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଛି । ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଥିଲା। ସୁନୀଲଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱରର ମୋଟ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।