ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର – ରାଜ୍ୟସ୍ତରୀୟ ଗାନ୍ଧି ଜୟନ୍ତୀ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଉତ୍ତରପିଢ଼ିଙ୍କୁ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଆଗମନ ସଂପର୍କରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିବା ସହିତ ଗାନ୍ଧି ଚେତନା ଓ ଗାନ୍ଧି ଦର୍ଶନ ସଂପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଅମାତ ମତବ୍ୟକ୍ତ କରିଥିଲେ ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକର କାଠଯୋଡ଼ି କୂଳରେ ମହାତ୍ମା ଗାନ୍ଧିଙ୍କ ସାଧାରଣ ସଭାଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କରିଥିବା ପଦଯାତ୍ରା , ସାଧାରଣ ସଭା , ବିଶ୍ରାମସ୍ଥଳୀ ଆଦିର ଦୁର୍ଲଭ ଫଟୋଚିତ୍ର ଏହି ପ୍ରଦର୍ଶନୀରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହେଉଛି ।

ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ପାଇଁ ୩ ତାରିଖରେ ‘ ଓଡ଼ିଶାରେ ଗାନ୍ଧିଜୀ ’ ଶୀର୍ଷକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ । ସେହିପରି ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ସର୍ବସାଧାରଣଙ୍କ ନିମନ୍ତେ ‘ ଗାନ୍ଧୀ ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ଆଜିର ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହିତ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ , ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ , ନିର୍ଦ୍ଦେଶକ ସରୋଜ କୁମାର ସାମଲ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ . ପ୍ରଦୀପ କୁମାର ରାଉତ , ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ରନାଥ ପରିଡ଼ା , ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି , ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀ , ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ , ହରପ୍ରସାଦ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ , କର୍ମଚାରୀ , ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Comments are closed.