ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜଟଣୀ ନାଇଜର କ୍ୟାମ୍ପସ ପରିସରରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି। ଏହା ରାଜ୍ୟରେ କ୍ୟାନସର ଚିକିତ୍ସା ସେବାକୁ ଅଧିକ ତ୍ବରାନ୍ବିତ କରିବ । ରୋଗୀଙ୍କୁ ମୁମ୍ବାଇ ପରି ବଡ଼ ସହରକୁ ଚିକିତ୍ସା ପାଇଁ ଯିବାକୁ ପଡିବନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଫଳରେ ଲୋକଙ୍କ ଅର୍ଥ ସଞ୍ଚୟ ହେବା ସହ ମାନସିକ କଷ୍ଟରୁ ମୁକ୍ତି ମିଳିବ । ଓଡ଼ିଶା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହାର ଲାଭ ପାଇବେ । ଏହି ହସପିଟାଲକୁ ମୋ ବସ୍ ଦ୍ବାରା ଯାତାୟତ ସୁବିଧା ସହ ଭଲ ରାସ୍ତା, ବସଷ୍ଟାଣ୍ଡ, ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯିବ । ହସପିଟାଲରେ ରୋଗୀ ବିଏସକେୱାଇ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ ।
କ୍ୟାନସର ହସପିଟାଲ ପରିସରରେ ଏକ ଆହାର କେନ୍ଦ୍ରର ଖୋଲାଯିବ । ମେଡିକାଲ ସାଇକ୍ଲୋଟ୍ରୋନ ସୁବିଧା ପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇଦେବା ସହ ଦେଢଶହ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହା ଏସିଆର ସର୍ବାଧିକ ଉନ୍ନତ ସାଇକ୍ଲୋଟ୍ରୋନ ଗବେଷଣା କେନ୍ଦ୍ର ହେବ । ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି । ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ସହ ସ୍ବାସ୍ଥ୍ୟ ଶିକ୍ଷା ଓ ନିୟମିତ ଡାକ୍ତର ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି ବୋଲି ଶିଳାନ୍ୟାସ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ପ୍ରତିବର୍ଷ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହ ତାଲିମପ୍ରାପ୍ତ ଡାକ୍ତର ବାହାରୁଛନ୍ତି । ୨୦୨୨ ସେପ୍ଟେମ୍ବରରେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ସହ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିଥିଲେ । ଏଥିରେ ଜଟଣୀ ନାଇଜର ପରିସରରେ ୨ ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଚୁକ୍ତିନାମା ହୋଇଥିଲା । ୨୫୦ କୋଟି ଟଙ୍କା ବ୍ୟୟରେ ଟାଟା ଷ୍ଟିଲ ଫାଉଣ୍ଡେସନ ହସପିଟାଲ ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର ଓ ଆଟମିକ ଏନର୍ଜି ବିଭାଗକୁ ହସ୍ତାନ୍ତର କରିବ । ଆଟମିକ ଏନର୍ଜି ବିଭାଗ ୪ଶହ କୋଟିର ଯନ୍ତ୍ରପାତି ଯୋଗାଇଦେବ ।

Comments are closed.