ଲକ୍ଷ୍ମୀ ଯୋଜନା କ’ଣ ଓ କାହିଁକି? 

ଭୁବନେଶ୍ବର – ଆଜି ମାଲକାନଗିରିରୁ ରାଜ୍ୟ ସରକାରଙ୍କ ନୂଆ ଯାତ୍ରୀ ପରିବହନ ବ୍ୟବସ୍ଥା – ଲକ୍ଷ୍ମୀ ବସ୍ ସେବା ଯୋଜନାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ରାଜଧାନୀ ସହ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ବସ୍ ଚଳାଚଳ ଆରମ୍ଭ ଲକ୍ଷ୍ୟରେ ନବୀନ ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି। ‘ଲୋକେସନ ଆକ୍ସେସିସବଲ୍ ମଲ୍ଟି ମୋଡାଲ୍ ଇନସିଏଟିଭ୍’ ବା ଲକ୍ଷ୍ମୀ ଯୋଜନାରେ ପ୍ରତି ପଞ୍ଚାୟତ ଯାତ୍ରୀ ପରିବହନ ସେବା ସୁଗମ ହୋଇପାରିବ । ଏହି ଯୋଜନାରେ ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ୩ ହଜାର ୧୭୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲକ୍ଷ୍ମୀ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିଲା । ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର ହୋଇଛି । ପ୍ରଦର୍ଶନ ଆଧାରରେ ଆଉ ଦୁଇ ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଏହି ଯୋଜନା ଅଧୀନରେ ୧ ହଜାରରୁ ଅଧିକ ବସ୍ ନିୟୋଜିତ କରାଯିବ, ଯାହାର ଅବଧି ୧୦ ବର୍ଷ ଯାଏଁ ବଳବତ୍ତର ରହିବ। ଏହି ଯୋଜନାରେ ଗ୍ରାମ ପଞ୍ଚାୟତ ସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଯୋଜନା ଅଧୀନରେ ବ୍ଲକ ଓ ଜିଲ୍ଲାସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ମହିଳା ସଶକ୍ତିକରଣ ଲକ୍ଷ୍ୟରେ ବସଷ୍ଟାଣ୍ଡଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି।

ଲକ୍ଷ୍ମୀ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଦୁଇ ଦିନ ତଳେ ବସ୍‌ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜରମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ । ସେହି ଜିଲ୍ଲାଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ। କର୍ମଚାରୀମାନଙ୍କୁ ସମ୍ବୋଧନ କରି ୫-ଟି ସଚିବ ପାଣ୍ଡିଆନ କହିଥିଲେ ଯେ ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲା ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମା ମାନେ, ସମସ୍ତେ ଉପକୃତ ହେବେ । ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ । ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ ଶକ୍ତି ମା’ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ।

ଲକ୍ଷ୍ମୀ ହେଉଛନ୍ତି ସମୃଦ୍ଧିର ପ୍ରତୀକ । ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ । ତେଣୁ ବସ୍‌ର କର୍ମଚାରୀ ମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ୫-ଟି ସଚିବ ପରାମର୍ଶ ଦେଇଥିଲେ। ଏଥିରେ ସେ ୩-ଏସ୍‌ ଉପରେ ଗୁରୁତ୍ବ ଦେଇଥିଲେ । ଏହି ତିନୋଟି ଏସ୍‌ ହେଲା – ସୁରକ୍ଷା, ସୁବିଧା ଓ ସମ୍ମାନ। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ବୋଲି ପାଣ୍ଡିଆନ କହିଥିଲେ ।

Comments are closed.