ଇସ୍ରାଏଲ୍-ହାମାସ୍ ଯୁଦ୍ଧର ପ୍ରଭାବ: ଆମେରିକାରେ ୬ ବର୍ଷର ବାଳକକୁ ୨୬ ଥର ଛୁରାମାଡ଼

ଚିକାଗୋ: ଇସ୍ରାଏଲ୍-ହାମାସ୍ ଯୁଦ୍ଧର ପ୍ରଭାବ ବିଶ୍ୱର ଅନ୍ୟ ଦେଶରେ ବି ପଡ଼ିଛି । ଏହି ଯୁଦ୍ଧ ଯୋଗୁଁ ମୁସଲିମ ଓ ଇହୁଦୀ ସମ୍ପ୍ରଦାୟର ଲୋକେ ହେଟ୍ କ୍ରାଇମର ଶିକାର ହେଉଛନ୍ତି । ଆମେରିକାର ଚିକାଗୋ ସହରରେ ଏଭଳି ଏକ ଘଟଣା ଘଟିଛି | ଜଣେ ବ୍ୟକ୍ତି ଜଣେ ୬ ବର୍ଷର ବାଳକ ଓ ତା’ର ମା’କୁ ଛୁରୀରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ବାଳକର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି ‌।

ଏହି ମାମଲାରେ ପୋଲିସ ଜଣେ ୭୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ଜୋସେଫ ଜୁବା। ସେ ଇଲିନୋଇସର ବାସିନ୍ଦା ହୋଇଥିବା ବେଳେ କିଛି ଦିନ ତଳେ ଚିକାଗୋ ଆସିଥିଲେ । ଏହି ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ହେଟ୍ କ୍ରାଇମ୍ ମାମଲା ରୁଜୁ ହୋଇଛି।

ୱିଲ କାଉଣ୍ଟି ସରିଫ କାର୍ଯ୍ୟାଳୟ ଏକ ସୋସିଆଲ ମିଡିଆରେ ପୋଷ୍ଟରେ କହିଛି,‌‌ ଅଭିଯୁକ୍ତ ଜୋସେଫ ଜୁବା ମୁସଲମାନ ସମ୍ପ୍ରଦାୟର ମା-ପୁଅକୁ ଛୁରୀରେ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ମା-ପୁଅଙ୍କୁ ରକ୍ତାକ୍ତ ଅବସ୍ଥାରେ ଘରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ବାଳକକୁ ମୃତ ଘୋଷଣା କରାଯାଇଥିଲା।

ଚିକାଗୋଠାରୁ ପ୍ରାୟ ୬୪ କିଲୋମିଟର ଦୂର ପଶ୍ଚିମ ଏକ ଆବାସିକ ଅଞ୍ଚଳରେ ଏହି ଘଟଣା ଘଟିଛି | ପୀଡିତଙ୍କ ପରିବାର ଏକ ଭଡ଼ା ଘରେ ରହୁଥିଲେ। ପୋଲିସ କହିଛି ଯେ ଜଣେ ମହିଳା ୯୧୧କୁ ଫୋନ୍ କରି ତାଙ୍କ ଘର ମାଲିକ ତାଙ୍କ ସହ ଝଗଡ଼ା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମହିଳା ଓ ତାଙ୍କ ୬ ବର୍ଷର ପୁଅ ଘରର ବେଡ୍ ରୁମରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ଅଭିଯୁକ୍ତ ଘର ମାଲିକ ଜୋସେଫ ଜୁବା ମଧ୍ୟ ସେହି ଘରେ ତଳେ ବସିଥିବାର ଦେଖିବାକୁ ମିଳିଥିଲା । ସେ ମଧ୍ୟ ଆହତ ହୋଇଥିଲେ।

ପୋଲିସ କହିଛି ଯେ ଅଭିଯୁକ୍ତ ବାଳକକୁ ୨୬ ଥର ଛୁରାମାଡ଼ କରିଥିଲା। ଏହାଛଡ଼ା ମହିଳାଙ୍କ ଦେହରେ ମଧ୍ୟ ଏକାଧିକ କ୍ଷତ ଦେଖିବାକୁ ମିଳିଥିଲା।

Comments are closed.