ଆକ୍ସନ ମୋଡ୍ ରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ, ଭୋରରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱର- ଆକ୍ସନ ମୋଡ୍ ରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମେଗା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରୁଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ଗତକାଲି ବଡିଭୋରରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ପରେ ଆଜି ଭୋରରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ। ସେ ଫିଲ୍ଡ ଭିଜିଟ କରି ସ୍ପଟ୍ ଉପରେ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ଟୁଇନ ସିଟି ଭୁବନେଶ୍ୱର ଓ କଟକକୁ ଯୋଡ଼ିବ । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ଭୁବନେଶ୍ୱର ବିମାନବନ୍ଦରରୁ ଭାୟା ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀ ବିହାର, ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ କଟକର ତ୍ରିଶୂଳିଆ ଛକକୁ ଯୋଡ଼ିବ ।

ପ୍ରକଳ୍ପ ନେଇ ୫-ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଉପରେ ଗୁରୁତ୍ଵାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାବର୍ଷ ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ବିଭିନ୍ନ ବିଭାଗ ଓ ଏଜେନ୍ସୀର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ।

ସୂଚନାଯୋଗ୍ୟ ଯେ, ଚଳିତମାସ ପ୍ରଥମ ସପ୍ତାହରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ – ଡିପିଆରକୁ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଶାର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ୨୬ କିଲୋମିଟର ଦୂରତା ବିଶିଷ୍ଟ ହେବ ଓ ୨୦ଟି ଷ୍ଟେସନ ରହିବ । ଗତ ଅଗଷ୍ଟ ମାସରେ ଦିଲ୍ଲୀ ମେଟ୍ରୋ ରେଳ ପ୍ରକଳ୍ପ – ଡିଏମଆରସି ପକ୍ଷରୁ ଭୁବନେଶ୍ୱର ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଥିଲା । ଏ ବର୍ଷ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ କଟକର ତ୍ରିଶୂଳିଆ ଯାଏଁ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ।

Comments are closed.