ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେଶର ସର୍ବବୃହତ ଗଙ୍ଗାଧର ସେଚ ପ୍ରକଳ୍ପ ଲୋକାର୍ପଣ!  | News Room Odisha

ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେଶର ସର୍ବବୃହତ ଗଙ୍ଗାଧର ସେଚ ପ୍ରକଳ୍ପ ଲୋକାର୍ପଣ! 

ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ପରିଚିତ ବରଗଡ ଜିଲ୍ଲାର ଗଙ୍ଗାଧର ସେଚ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ ହେବାକୁ ଯାଉଛି। ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି। ତେବେ, ଆସନ୍ତା ୨୫ ତାରିଖ ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହାର ଲୋକାର୍ପଣ କରିବାକୁ ଜଳସେଚନ ବିଭାଗ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଥିବା ବେଳେ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ମୁଖ୍ୟବନ୍ଧ ବିଭାଗ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ ଇତିମଧ୍ୟରେ ଏହି ପ୍ରକଳ୍ପରୁ ଜଳସେଚିତ ହେବାକୁ ଥିବା ୧୩ ହଜାର ହେକ୍ଟର ଜମିର ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏହି ସୂଚନା ମିଳିବା ପରେ ବର୍ତ୍ତମାନ ସମଗ୍ର ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଗତ ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ଘୋଷଣା ହୋଇଥିଲା ଗଙ୍ଗାଧର ସେଚ ପ୍ରକଳ୍ପ। ବରଗଡ ଜିଲ୍ଲାର ଏହି ଅଣଜଳସେଚିତ ଅଞ୍ଚଳକୁ ଶସ୍ୟଶ୍ୟାମଳା କରିବାକୁ ମୁଖ୍ୟମନ୍ତ୍ରୀ ଏହି ବୃହତ ପ୍ରକଳ୍ପର ପରିକଳ୍ପନା କରିଥିଲେ। ସେହି ସମୟରେ ଏହା ରାଜନୈତିକ ଗୋଟିଚାଲନା ବୋଲି ବିରୋଧୀ ଆକ୍ଷେପ କରିଥିଲେ। ହେଲେ ତାହା ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ବିବେଚିତ ହୋଇଥିଲା, ଯାହାର ପ୍ରମାଣ ବର୍ତ୍ତମାନ ଦେଖିବାକୁ ମିଳୁଛି। ଇତିମଧ୍ୟରେ ଏହି ବୃହତ ପ୍ରକଳ୍ପ ସାକାର ରୂପ ନେବାକୁ ଯାଉଛି। ୧୬୭୭ କୋଟି ବ୍ୟୟରେ ସଂପୂର୍ଣ୍ଣ ପାଇପ ଲାଇନ ମାଧ୍ୟମରେ ଜଳସେଚନ କରିବାରେ ଏହା ହେଉଛି ଦେଶର ସର୍ବବୃହତ ଜଳସେଚନ ପ୍ରକଳ୍ପ। ୩.୮ ଡାଏ ମିଟର ମୋଟା ପାଇପ ଦ୍ବାରା ସମସ୍ତ ମୁଖ୍ୟ ପାଇପ ଲାଇନ ସଂଯୋଗ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକର କିଛି ଅଂଶ ସମେତ ବିଜେପୁର, ବରପାଲି ଏବଂ ସୋହେଲା ବ୍ଲକର ମୋଟ ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଛି।

ଏଥିପାଇଁ ବରଗଡ଼ ମୁଖ୍ୟ କେନାଲର ହେଡ୍ ପଏଣ୍ଟ ନିକଟସ୍ଥ ରେଙ୍ଗାଲି ଗାଁ, ବରଗଡ଼ ବ୍ଲକର ତୁରୁଙ୍ଗ ଏବଂ ବିଜେପୁର ବ୍ଲକର କଣାପାଲି ଠାରେ ୩ଟି ବୃହତ ପମ୍ପିଂ ଷ୍ଟେସନ୍ ସ୍ଥାପିତ ହୋଇଛି। ହୀରାକୁଦରୁ କଣାପାଲିର ଦୂରତା ୫୩ କିମି ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇଥିବା ବେଳେ ଏଥିରୁ ୨ଟି ବୃହତ ଶାଖା କେନାଲ ବାହାରିଛି। ପୁଣି ତିନି ପମ୍ପିଂ ଷ୍ଟେସନରୁ ଛୋଟ ଛୋଟ ୧୫ଟି ଶାଖା ବାହାରିଥିବା ବେଳେ ତାହାର ପାଇପ ଲାଇନ କାମ ଶେଷ ହୋଇସାରିଛି। ତେବେ, ବର୍ତ୍ତମାନ ସୁଦ୍ଧା ମୋଟ ୨୫ ହଜାର ୬ ଶହ ହେକ୍ଟର ଜମିରୁ ୧୩ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଟ୍ରାଏଲ ରନ ସଫଳତାର ସହ ଶେଷ ହୋଇଛି। ଆଉ ବର୍ତ୍ତମାନ ବରଗଡ କେନାଲ ବନ୍ଦ ଥିବା ସମୟରେ ଅବଶିଷ୍ଟ ଜମିକୁ ପାଇପ୍ ସଂଯୋଗ କାମ ଶେଷ ହେବ ବୋଲି ଇଂ ସାହୁ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୨୭ କ୍ୟୁସେକ୍ ପାଣି ଯୋଗାଣ ହେବ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୬ ପ୍ରତିଶତ କାମ ଶେଷ ହେଲାଣି। ଏଭଳି ସ୍ଥିତିରେ ଆସନ୍ତା ମାସ ୨୫ ତାରିଖ ପରେ ଯେ କୌଣସି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଲୋକାର୍ପଣ କରିବାକୁ ଯୋଜନା ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହାଛଡା ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଥିବା ରବି ଋତୁରେ ଏହି ପ୍ରକଳ୍ପରୁ ଜଳସେଚନ ଆରମ୍ଭ ହେବ। ଆଉ ଏବର୍ଷ ପାଖାପାଖି ୨୦ ହଜାର ହେକ୍ଟର ପର୍ଯ୍ୟନ୍ତ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ, କରୋନା ପାଇଁ ଏହାର ନିର୍ମ।ଣ କାମ ବିଳମ୍ବ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଋଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିଦେଶରୁ ସାମଗ୍ରୀ ଆସିପାରିନଥିଲା। ତଥାପି ଯୁଦ୍ଧକାଳୀନ ଭାବେ ଏହାର ନିର୍ମ।ଣକୁ ନିର୍ଦ୍ଧ।ରିତ ସମୟରେ ଶେଷ କରାଯାଇଛି।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଭୂମିକାକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଏହାର କାମ ଆରମ୍ଭ ହେବା ଦିନରୁ ଶ୍ରୀ ପାଣ୍ଡିଆନ ଅନେକ ଥର ପ୍ରକଳ୍ପ ସ୍ଥାନ ଗସ୍ତ କରି ସମୀକ୍ଷା କରିଥିଲେ। ଆଉ ତାଙ୍କ ତତ୍ତ୍ବାବଧାନରେ ଏହା ବର୍ତ୍ତମାନ ସାକାର ରୂପ ନେବାକୁ ଯାଉଛି। ଏଥିପାଇଁ ସମଗ୍ର ବରଗଡ ଜିଲ୍ଲାର ଚାଷୀ ମହଲରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏଥିପାଇଁ ବିଭିନ୍ନ ଚାଷୀମାନେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।