ଏମକେସିଜି ମେଡିକାଲ କଲେଜ: ୩୫.୩୨ କୋଟିରେ ହେବ ଆଉ ୨ ହଷ୍ଟେଲ୍ | News Room Odisha

ଏମକେସିଜି ମେଡିକାଲ କଲେଜ: ୩୫.୩୨ କୋଟିରେ ହେବ ଆଉ ୨ ହଷ୍ଟେଲ୍

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ୍‌ରେ ଭିତ୍ତିଭୂମି ଅଧିକ ସୁଦୃଢ଼ କରାଯିବ। ବିଶେଷ କରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ରହଣୀ ଦୃଷ୍ଟିରୁ ସୁବିଧା ସୁଯୋଗ ଅଧିକ ବ୍ୟାପକ ହେବ। କାରଣ ଏଠାରେ ୧୫.୩୨ କୋଟି ଟଙ୍କା ବ୍ୟୟରେ ଆଉ ଦୁଇଟି ଚାରିମହଲା ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ କରାଯିବ। ସେଥିରୁ ୧୫୦ ଶଯ୍ୟା ବିଶିଷ୍ଟ ହାଉସ୍‌ ସର୍ଜନ ଛାତ୍ରାବାସ ନିର୍ମାଣ ସକାଶେ ୫.୪୮ କୋଟି ଟଙ୍କା ଓ ୧୦୦ ଶଯ୍ୟା ବିଶିଷ୍ଟ ହାଉସ୍‌ ସର୍ଜନ ଛାତ୍ରୀନିବାସ ତିଆରି ନିମନ୍ତେ ୯.୮୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ମଞ୍ଜୁରି (ଚିଠି ସଂଖ୍ୟା ୨୬୯୪୯) ମିଳିସାରିଛି।

ଏମକେସିଜିରେ ଏମ୍‌ବିବିଏସ୍‌ ୨୫୦ ସିଟ୍‌ ଓ ପିଜି ୩୭୦ ସିଟ୍‌ ରହିଛି। ଏଠି ୧୧ଟି ହଷ୍ଟେଲ୍‌ରେ ଏବେ ଡାକ୍ତରୀ ଛାତ୍ରଛାତ୍ରୀ ରହୁଛନ୍ତି। ଏମ୍‌ବିବିଏସ୍‌ ଛାତ୍ର ଓ ଛାତ୍ରୀଙ୍କ ସକାଶେ ୪ଟି ଲେଖାଏଁ ହଷ୍ଟେଲ୍‌ ଥିବା ବେଳେ ୧୫୦ ଶଯ୍ୟା ବିଶିଷ୍ଟ ଗୋଟିଏ ଲେଖାଏଁ ର ଛାତ୍ରାବାସ ଓ ଛାତ୍ରୀନିବାସ ଅସୁରକ୍ଷିତ ହୋଇସାରି ଥିବାରୁ ସେଠାରେ କେହ ରହୁନାହାନ୍ତି। ଅପରପକ୍ଷରେ ୭୫ ଜଣ ହାଉସ୍‌ ସର୍ଜନଙ୍କ ରହଣୀ ପାଇଁ ବ୍ୟବସ୍ଥା ଥିବା ବେଳେ ଅନ୍ୟ ୧୭୫ ଜଣଙ୍କ ରହଣୀ ଦୃଷ୍ଟିରୁ ସମସ୍ୟା ହେଉଥିଲା। ସେହିପରି ଅନ୍ୟାନ୍ୟ ବର୍ଗର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟ ହଷ୍ଟେଲ୍‌ ସମସ୍ୟା ରହିଥିଲା। ଏମ୍‌ବିବିଏସ୍‌ରେ ବର୍ତ୍ତମାନ ୪ଟି ବ୍ୟାଚ୍‌ରେ ୧୦୦୦ ବିଦ୍ୟାର୍ଥୀ କଲେଜରେ ଅଛନ୍ତି। ଚଳିତବର୍ଷ ନୂତନ ଭାବେ ଆଉ ୨୫୦ ଜଣ ନାମ ଲେଖାଇଥିବା ବେଳେ ଅଧିକାଂଶ‌ ହଷ୍ଟେଲ୍‌ ଅଭାବରୁ ଘର ଭଡ଼ା ନେଇ କ୍ୟାମ୍ପସ୍‌ ବାହାରେ ରହୁଛନ୍ତି।

ଏମକେସିଜି ଡିନ୍‌ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ପ୍ରାୟ ୪୦ କୋଟି ଟଙ୍କା ବିନିମୟରେ ୩୦୦ ଶଯ୍ୟା ବିଶିଷ୍ଟ ଦୁଇଟି ଏମ୍‌ବିବିଏସ୍‌ ହଷ୍ଟେଲ୍‌ ନିର୍ମାଣ ଚାଲିଛି । ହାଉସ୍‌ ସର୍ଜନ ହଷ୍ଟେଲ୍‌ ବହୁ ପୁରୁଣା ହୋଇ ସାରିଥୁବାରୁ ନୂଆ ହଷ୍ଟେଲର ଆବଶ୍ୟକତା ଥଊଲା। ବର୍ଭମାନ ଦୁଇଟି ହଷ୍ଟେଲ ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଛି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଶୀଘ୍ର ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ କରାଯିବ। ଫଳରେ ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‌ ସମସ୍ୟା ଅଚିରେ ଦୂର ହେବ।