ନୂଆଦିଲ୍ଲୀ / ଭୁବନେଶ୍ବର: ଦିଲ୍ଲୀରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ଵାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତ ଓଡିଶା ମଣ୍ଡପକୁ ଶହ ଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି । ଏହା ସହିତ ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ତୁତ ଉତ୍କଳୀୟ କଳାଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି । ଓଡିଶା ମଣ୍ଡପର ସମ୍ମୁଖ ଭାଗ ଓ ପାର୍ଶ୍ଵଭାଗରେ ଥିବା ଆମ କୋଣାର୍କ ଚକ ସମସ୍ତଙ୍କ ଫଟୋ ଉତ୍ତୋଳନ ସ୍ଥଳୀରେ ପରିଣତ ହୋଇଛି । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ୨ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ପର ଉପର ମହଲାରେ ୫୫୦ ବର୍ଗ ମିଟର ପରିମିତ ସ୍ଥାନରେ ନିର୍ମିତ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓର୍ମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ -କ୍ଷୁଦ- ମଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ / ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ଵାରା ଉତ୍ପାଦିତ ସମ୍ବଲପୁରୀ, ଟସର ଓ କୋଟପାଡ଼ ହସ୍ତତନ୍ତ ସାମଗ୍ରୀ ସମେତ କାଷ୍ଠ ଶିଳ୍ପ, ପ୍ରସ୍ତର ଶିଳ୍ପ, ସବାଇ ଘାସ, କାଇଞ୍ଚ ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ହେଉଛି । ବୋଇତର ଡେକ୍ ଉପରେ ବିଭିନ୍ନ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟା ପ୍ରଦର୍ଶନ କରାଯାଉଛି । ସେହିପରି ପ୍ରଗତି ମଇଦାନର ଫୁଡ କୋର୍ଟରେ ପର୍ଯ୍ୟଟନ ବିଭାଗ ତରଫରୁ ଖୋଲାଯାଇଥିବା ଫୁଡ ଷ୍ଟଲରେ ଓଡିଶାର ସୁସ୍ଵାଦୁ ଖାଦ୍ୟ ମିଳୁଛି ।
ଆଗାମୀ ୧୯ ତାରିଖ ଦିନ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଷଷ୍ଠ ଦିବସ ଅପରାହ୍ନରେ ପ୍ରଗତି ମଇଦାନର ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ବାରା ଓଡିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ, ବରଗଡ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଡାଲଖାଇ ନୃତ୍ଯ ସହିତ ଦେଶବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲିସ୍ସା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଏବଂ ଯୁଗ୍ମ ନିର୍ଦ୍ଦେଶକ ତଥା ଓଡିଶା ପାଭିଲିୟନର ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ସୁଦୃଶ୍ୟ ଓଡିଶା ମଣ୍ଡପରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ସହିତ ସମତାଳରେ ବିକ୍ରି ମଧ୍ଯ ବୃଦ୍ଧି ପାଉଛି । ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୪ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟିକ ସଙ୍ଗଠନମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥବାବେଳେ ୧୯ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ଏହା ଉନ୍ମୁକ୍ତ ରହିବ ।