ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ: ବାଚସ୍ପତି

ଭୁବନେଶ୍ୱର – ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥାଏ । ଏହା ବ୍ୟତୀତ ପ୍ରେସ୍ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ । ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ । ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଏ । ଆଜିର ଦିନଟିକୁ ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍ କାଉନ୍‌ସିଲ୍‌ର ଭୂମିକା ମହତ୍ତ୍ଵପୂର୍ଣ୍ଣ । ପ୍ରେସ୍‌ର ସ୍ଵାଧୀନତା, ଦାୟିତ୍ଵ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ
ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ଏହା ପ୍ରକାଶ କରିଛନ୍ତି ।

ଜାତୀୟ ପ୍ରେସ୍ ଦିବସ ଅବସରରେ ଆୟୋଜିତ ‘କୃତ୍ରିମ ବୁଦ୍ଧିମତା ସମୟରେ ଗଣମାଧ୍ୟମ’ ଶୀର୍ଷକ ସେମିନାରକୁ
ଉଦ୍‌ଘାଟନ କରି ସୂଚନା ଓ ଲୋକସଂପର୍କ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଲେ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗ୍‌ଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ । ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇନେବା ପାଇଁ ଗଣମାଧ୍ୟମ ସବୁବେଳେ ପ୍ରୟାସରତ । ସାରା ଦେଶରେ ସାମ୍ବାଦିକମାନଙ୍କ ପାଇଁ କଲ୍ୟାଣ ଯୋଜନା ଲାଗୁ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ । ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାରେ ମିଳୁଥିବା ୨ ଲକ୍ଷ ଟଙ୍କାକୁ ୫ ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ସାମ୍ବାଦିକମାନଙ୍କର ସୁବିଧା – ଅସୁବିଧା ସଂପର୍କରେ ସରକାର ସଚେତନ ଅଛନ୍ତି । ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତା ସାମ୍ବାଦିକତା କ୍ଷେତ୍ରରେ ବଡ଼ ଆହ୍ଵାନ ହୋଇ ଠିଆ ହୋଇଛି । ତେବେ ଆମକୁ ପରବର୍ତ୍ତିତ ସମୟରେ ଟେକ୍‌ନୋଲୋଜିର ବ୍ୟବହାର ସହ ପାରମ୍ପରିକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡ଼ିବ । ଆମେ କେବେହେଲେ ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ସଚିବ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି ।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଓ ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଅଶୋକ ପଣ୍ଡା, ରମେଶ ଚନ୍ଦ୍ର ମହାନ୍ତି, ଭାଗବତ ତ୍ରିପାଠୀ, ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ସେମିନାରରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ସନତ ମିଶ୍ର ସ୍ଵାଗତ ଭାଷଣ ଦେଇଥିବାବେଳେ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଫେସର ଡ. ସୁପ୍ରିତା ପାଲିତ ଉପସ୍ଥିତ ଥିଲେ ।

Comments are closed.