ବିଶ୍ୱକପ ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କଲେ ରାହୁଲ ଗାନ୍ଧୀ | News Room Odisha

ବିଶ୍ୱକପ ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କଲେ ରାହୁଲ ଗାନ୍ଧୀ

ଜୟପୁର: ବିଶ୍ବକପ୍ ଫାଇନାଲରେ ଭାରତର ପରାଜୟ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ଭାରତୀୟ ଦଳର ପରାଜୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ପନୌତି ମୋଦୀ’ ବୋଲି କହିଛନ୍ତି। ହିନ୍ଦୀରେ ‘ପନୌତି’ ଶବ୍ଦର ବ୍ୟବହାର ଅଶୁଭ ବା ଅନିଷ୍ଟକାରୀ ବ୍ୟକ୍ତିଙ୍କ ପାଇଁ ବ୍ୟବହାର କରାଯାଏ।

ରାହୁଲ ଗାନ୍ଧୀଙ୍କ ଏପରି ବୟାନ ନେଇ ବିଜେପି ଦୃଢ଼ ଆପତ୍ତି ଜଣାଇଛି । ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି।

ରାଜସ୍ଥାନର ବାଡ଼ମେର ଠାରେ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଛନ୍ତି, ” ଆମ ପିଲାମାନେ ଭଲରେ ଭଲରେ ବିଶ୍ୱକପ ଜିତି ଯାଇଥାନ୍ତେ, କିନ୍ତୁ ‘ପନୌତି’ ମୋଦୀ ଆମକୁ ହରାଇଦେଲେ। ଟିଭି ବାଲା ଏହି କଥା କେବେ କହିବେ ନାହିଁ। କିନ୍ତୁ ସାଧାରଣ ଲୋକ ଏହା ଜାଣିଛନ୍ତି।”

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକପ ଫାଇନାଲ୍ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଯାଇଥିଲେ। ଭାରତକୁ ହରାଇ ଅଷ୍ଟ୍ରେଲିଆ‌ ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିୟନ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବୟାନ ନେଇ ବିଜେପି ଆପତ୍ତି ଉଠାଇଛି । ରାହୁଲ ଗାନ୍ଧୀ ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଛନ୍ତି ।

ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେତା ଦଳକୁ ବିଶ୍ୱକପ ଟ୍ରଫି ପ୍ରଦାନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଖେଳାଳିଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ବନା ଦେଇଥିଲେ ।

ରବିବାର ଭାରତୀୟ ଦଳର ଡ୍ରେସିଂ ରୁମରେ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଖେଳାଳିଙ୍କ ମଧ୍ୟରେ ସାକ୍ଷାତକାର ଭିଡ଼ିଓକୁ ବିଭିନ୍ନ ନ୍ୟୁଜ୍ ଏଜେନ୍ସି ଆଜି ଜାରି କରିଛନ୍ତି ।

୧୯୮୩ ବିଶ୍ୱକପ ବିଜୟୀ ଦଳର ସଦସ୍ୟ କିର୍ତ୍ତୀ ଆଜାଦଙ୍କ ସ‌ହ ଅନେକ ଲୋକ ଭାରତୀୟ ଦଳର ଡ୍ରେସିଂ ରୁମରେ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଯୁକ୍ତି କରିଛନ୍ତି ଯେ ଡ୍ରେସିଂ ରୁମକୁ କେବଳ ଖେଳାଳି ଏବଂ କୋଚିଂ ଷ୍ଟାଫଙ୍କ ବ୍ୟତୀତ ଅନ୍ୟ କେହି ଯାଇପାରିବେ ନାହିଁ।