ଏଆଇଏଫଏଫ – ଫିଫା ଟ୍ୟାଲେଣ୍ଟ ଏକାଡେମୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଭାରତୀୟ ଫୁଟବଲ ମହାସଂଘ -ଏଆଇଏଫଏଫ ଓ ଆନ୍ତର୍ଜାତିକ ଫୁଟବଲ ମହାସଂଘ -ଫିଫା ଟ୍ୟାଲେଣ୍ଟ ଏକାଡେମୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଭାରତ-କତାର ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ ବେଳେ ଟ୍ୟାଲେଣ୍ଟ ଏକାଡେମୀ ଉଦଘାଟିତ ହୋଇଛି। ଫିଫାର ଗ୍ଲୋବାଲ ଫୁଟବଲ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନ ୱିଙ୍ଗର ଓ ଏଆଇଏଫଏଫ ସଭାପତି କଲ୍ୟାଣ ଚୋବେଙ୍କ ଉପସ୍ଥିତିରେ ଟ୍ୟାଲେଣ୍ଟ ଏକାଡେମୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତରେ ଫୁଟବଲର ବିକାଶ ପାଇଁ ଏହା ଏକ ଭଲ ପଦକ୍ଷେପ । ଓଡ଼ିଶା ସରକାରଙ୍କ ସହ ମିଶି ଏଆଇଏଫଏଫ ଓ ଫିଫା ଏହି ଏକାଡେମୀ ପ୍ରତିଷ୍ଠା ହୋଇଛି । ୧୪ ବର୍ଷରୁ କମ୍ ୫୦ ଜଣ ପ୍ରତିଭାବାନ ଖେଳାଳିଙ୍କୁ ଏକାଡେମୀ ପାଇଁ ଚୟନ କରାଯିବ । ଏଥିରେ ଓଡ଼ିଶାରୁ ମଧ୍ୟ ୧୫ ଜଣ ଖେଳାଳି ରହିବେ । ଫିଫା ନିଯୁକ୍ତ ଜଣେ କୋଚ୍ ଏକାଡେମୀର ମୁଖ୍ୟ ରହିବେ ।

ଫୁଟବଲ ଭାରତରେ ବେଶ୍ ଲୋକପ୍ରିୟ। ବିଶେଷକରି ଯୁବ ପିଢିଙ୍କ ମଧ୍ୟରେ ଫୁଟବଲ ବେଶ୍ ଆଦୃତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତରେ ଅନେକ ପ୍ରତିଭା ଅଛନ୍ତି। ସେମାନଙ୍କୁ ଉଚିତ୍ ପ୍ରଶିକ୍ଷଣ ସୁବିଧା ଯୋଗାଇଦେଲେ ଭବିଷ୍ୟତରେ ଆମ ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଫିଫା ଓ ଏଆଇଏଫଏଫ ସହ ଭାଗିଦାରୀରେ ରାଜ୍ୟ ସରକାର ଏଭଳି ଏକାଡେମୀ ପ୍ରତିଷ୍ଠା କରିପାରିଥିବାରୁ ସେ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦେଶରେ ଫୁଟବଲର ପ୍ରସାର ପାଇଁ ଏଆଇଏଫଏଫ ସହ କାର୍ଯ୍ୟ କରିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଟ୍ୟାଲେଣ୍ଟ ଏକାଡେମୀ ଉଦଘାଟନ ଅବସରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଫିଫା ଗ୍ଲୋବାଲ ଫୁଟବଲ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନ ୱିଙ୍ଗରଙ୍କ ସହ ବିଚାରବିମର୍ଶ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହେଉଥିବା ସ୍ପୋର୍ଟସ ସାଇନ୍ସ ସେଣ୍ଟର ଆର୍ସେନ ୱିଙ୍ଗରଙ୍କୁ ଦେଖାଇଥିଲେ ୫-ଟି ଅଧ୍ୟକ୍ଷ ।

ଟ୍ୟାଲେଣ୍ଟ ଏକାଡେମୀ ଉଦଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଆଇଏଫଏଫ ସଭାପତି କଲ୍ୟାଣ ଚୋବେ,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

Comments are closed.